ଜମନକିରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଧକ୍କାରେ ବୃଦ୍ଧ ମୃତ, ମହାରାଷ୍ଟ୍ରର ଚାଳକ ଗିରଫ
ଜମନକିରା : ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଜମନକିରା ଦଶଘରିଆ ଅଞ୍ଚଳର ପରମେଶ୍ୱର ଜୟପୁରିଆ (୪୫) ବୋଲି ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପରମେଶ୍ୱର ନୂଆ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥ ପାର ହେଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ମହାରାଷ୍ଟ୍ର ପଞ୍ଜୀକୃତ କାର୍ (ନଂ- MH 43 CG 7049) ତାଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାରେ ଜମନକିରା ପୁଲିସ ଏକ ମାମଲା (କେସ୍ ନଂ- ୧୯୬/୨୬ ରୁଜୁ କରି ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୮୧ ଓ ୧୦୬(୧) ଅନୁଯାୟୀ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା କାର୍କୁ ଜବତ କରିବା ସହ ଅଭିଯୁକ୍ତ ଚାଳକ ମହାରାଷ୍ଟ୍ର ରାଜ୍ୟ ମୁମ୍ବାଇ ଗୋବଣ୍ଡି ଅଞ୍ଚଳର ମହବତ ଅଲ୍ଲୀ ଅବଦୁଲ ରହିମ ଶାହାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

