Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସ୍ତାବରେ ଅଟକିଛି ଡେବ୍ରିଗଡ଼ ଅଭୟାରଣ୍ୟ ଜାତୀୟ ଉଦ୍ୟାନ ମାନ୍ୟତା

ସମ୍ବଲପୁର: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଆର୍ଦ୍ରଭୂମି ପର୍ଯ୍ୟଟନ କ୍ଷେତ୍ର ସମ୍ବଲପୁର ଜିଲ୍ଲାରୁ ରାଜ୍ୟ ଓ ବର୍ତ୍ତମାନ ଏହାର ଖ୍ୟାତି ଜାତୀୟ ସ୍ତରକୁ ଲମ୍ବିଲାଣି।୨୦୨୪-୨୫ ଆର୍ଥିକ ବର୍ଷରେ ୮୦ ହଜାର ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଆସି ଏହି ପର୍ଯ୍ୟଟନ କ୍ଷେତ୍ରରକୁ ନୁଆଁ ଦିଶା ଦେକାଇଛନ୍ତି । ଫଳରେ ସରକାର ୫.୧୧ କୋଟି ଟଙ୍କାର ରାଜସ୍ବ ପାଇଛନ୍ତି ।
ଡେବ୍ରିଗଡ଼କୁ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ପ୍ରକଳ୍ପ କରିବା ପାଇଁ ଜାତୀୟ ପ୍ରସ୍ତାବ ସଂରକ୍ଷଣ ରହିଛି।କିନ୍ତୁ ଆଜିପର୍ଯ୍ୟନ୍ତ ଏ ଦିଗରେ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଏହାକୁ ଜାତୀୟ ମାନ୍ୟତା ମିଳିଲେ ଆହୁରି ଅଧିକ ପର୍ଯ୍ୟଟକ ଏଠାକୁ ଆସିପାରନ୍ତେ ଏବଂ ସରକାରଙ୍କ ରାଜସ୍ୱ ଢେର ଅଧିକ ବୃଦ୍ଧି ପାଆନ୍ତା। କିନ୍ତୁ ଜାତୀୟ ମାନ୍ୟତାର ପ୍ରସ୍ତାବ ପ୍ରସ୍ତାବରେ ଅଟକି ରହିଛି। ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଏଦିଗରେ ଧ୍ୟାନ ଦେଲେ ଡେବ୍ରିଗଡ଼ ଜାତୀୟ ସ୍ତରରେ ନୁଆଁ ଦିଶାର ଆଲୋକ ଦେଖାଇ ପାରିବ।
ଗତବର୍ଷ ଠାରୁ ଏହି ପର୍ଯ୍ୟଟନ ଜୋନ୍‌କୁ ପ୍ଲାଷ୍ଟିକମୁକ୍ତ କରାଯାଇଛି । ଏପରିକି ଡେବ୍ରିଗଡ଼ ଓ ହୀରାକୁଦ ଆର୍ଦ୍ରଭୂମିକୁ ଆନ୍ତର୍ଜାତୀୟ ରାମସର ମାନ୍ୟତା ପ୍ରଦାନ କରାଯାଇଛି। ଭାରତୀୟ ଗୟଳ, ଭାଲୁ, ଚିତାବାଘ, ହରିଣ, ସମ୍ବର ଆଦି ବନ୍ୟପ୍ରାଣୀ ଏବଂ ପକ୍ଷୀଙ୍କ ପାଇଁ ଡେବ୍ରିଗଡ଼ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଗତବର୍ଷ ଏଠାକୁ ୩୨୦ ପ୍ରଜାତିର ୩.୭୭ ଲକ୍ଷ ବିଦେଶାଗତ ପକ୍ଷୀ ଆସିଥିଲେ। ଏପରିକି ଗତବର୍ଷ ତୁଳନାରେ ଏଥର ପର୍ଯ୍ୟଟକଙ୍କ ସଂଖ୍ୟାରେ ୪୦ % ରୁ ଅଧିକ ବୃଦ୍ଧି ପାଇଛି। ଏଠାରେ ପର୍ଯ୍ୟଟକମାନେ ଜଙ୍ଗଲ ସଫାରୀ, ନୌବିହାର, ରାତ୍ରି ରହଣୀର ସୁବିଧା ନେବାର ସୁବିଧା ରହିଛି। ଡେବ୍ରିଗଡ଼ ପ୍ରକୃତି ଶିବିରରେ ୯୦୦୦ ପର୍ଯ୍ୟଟକ ରାତ୍ରି ରହଣୀ କରିଛନ୍ତି।ତେଣୁ ଏଠାକୁ ପର୍ଯ୍ୟଟକ ମାନେ ଆସିବାକୁ ଅଧିକ ପସନ୍ଦ କରିଥାନ୍ତି। ଏହାର ସମସ୍ତ ଦିଗକୁ ଉପଲବ୍ଧି କରି କେନ୍ଦ୍ର ସରକାର ଡେବ୍ରିଗଡ଼କୁ ତୁରନ୍ତ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ କରିବେ ବୋଲି ଜନତା ଆଶାବାଦୀ। ଏଥିପାଇଁ ବୁଦ୍ଧିଜୀବୀମହଲରେ ମଧ୍ୟ୍ୟ ଦାବି ପ୍ରବଳରୁ ପ୍ରବଳତର ହେଉଛି।