ପରଲୋକରେ ଅଭିନେତା ସତୀଶ ଶାହ
ନୂଆଦିଲ୍ଲୀ: ସାରା ଭାଇ vs ସାରା ଭାଇ” ଶୋ ଜରିଆରେ ପ୍ରତ୍ୟେକ ଘରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତା ସତୀଶ ଶାହଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି।
ତେବେ ତାଙ୍କ ବିୟୋଗରେ ବଲିଉଡ୍, ଟେଲିଭିଜନ ଶିଳ୍ପ ଏବଂ କମେଡି ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଯାଇଛି। କିମ୍ବଦନ୍ତୀ ଅଭିନେତା ସତୀଶ ଶାହଙ୍କ କିଛି ଘଣ୍ଟା ପୂର୍ବରୁ କିଡନୀ ଫେଲ୍ ହୋଇଯିବା ରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି। ଏଥିସହିତ ସେ ସତୀଶ ଶାହଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ହେବା ସହ ନିଜର ଦୁଃଖ ପ୍ରକାଶ କରିଛନ୍ତି।
ସତୀଶ ଶାହଙ୍କ ଜନ୍ମ ୨୫ ଜୁନ୍ ୧୯୫୧ରେ ମୁମ୍ବାଇର ଏକ ଗୁଜରାଟୀ ପରିବାରରେ ହୋଇଥିଲା। ପିଲାବେଳୁ ସେ ଅଭିନୟ ପାଇଁ ନୁହେଁ ବରଂ କ୍ରିକେଟ୍ ଏବଂ ବେସବଲ୍ ଖେଳ ପ୍ରତି ଆଗ୍ରହୀ ଥିଲେ। ସେ ଉଭୟ ଖେଳରେ ଉତ୍କର୍ଷତା ହାସଲ କରିବା ସହ ତାଙ୍କ ସ୍କୁଲରେ ସେ ଉଭୟ ଖେଳରେ ଜଣେ ପ୍ରସିଦ୍ଧ ଖେଳାଳି ମଧ୍ୟ ଥିଲେ। କେବଳ ଏତିକି ନୁହେଁ ତାଙ୍କ ସ୍କୁଲ ସମୟରେ ସତୀଶ ଶାହ ଲଙ୍ଗ ଜମ୍ପ ଏବଂ ହାଇଜମ୍ପରେ ମଧ୍ୟ ଚାମ୍ପିଅନ୍ ଥିଲେ। ସତୀଶ ଶାହଙ୍କ ଅଭିନୟ କ୍ଷେତ୍ରରେ ପ୍ରବେଶ ଏକ ସଂଯୋଗ ଥିଲା। ସ୍କୁଲର ବାର୍ଷିକ ମହୋତ୍ସବରେ ଏକ ହିନ୍ଦୀ ନାଟକ ପାଇଁ ଅଭିନେତାଙ୍କ ଅଭାବ ଥିବାରୁ ଜଣେ ଶିକ୍ଷକ ସତୀଶ ଶାହଙ୍କୁ ଏହି ଭୂମିକା ପାଇଁ ମନୋନୀତ କରିଥିଲେ। ଯେଉଁଠାରେ ସେ ପ୍ରୟାସ କରି ଓ ଶିକ୍ଷକ ଙ୍କ ନିର୍ଦ୍ଦେଶ ମାନି ଚମତ୍କାର ପ୍ରଦର୍ଶନ କରିଥିଲେ। ଯାହାପରେ ସେ ଅଭିନେତା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସେ କଲେଜରେ ପଢ଼ିବା ସମୟରେ ହିଁ ଥିଏଟରରେ ଅଭିନୟ କରୁଥିଲେ ଓ ସ୍ନାତକ ପରେ ସେ ପୁନେର ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ।
ସତୀଶ ଶାହ ଅଜିବ କାହାଣୀ, ଉମରାଓ ଜାନ, ଆଲବର୍ଟ ପିଣ୍ଟୋ କୋ ଗୁସ୍ସା କ୍ୟୋଁ ଆତା ହୈ, ଏବଂ ଜାନେ ଭି ଦୋ ୟାରୋ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏଥିସହିତ ସେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ତେବେ “ମୈଁ ହୁଁ ନା” ଚଳଚ୍ଚିତ୍ରରେ ପ୍ରଫେସର ଭୂମିକା ପାଇଁ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି।

