ଚୀନ୍ ଉପରେ ୧୦୪ ପ୍ରତିଶତ ଟାରିଫ୍ ଲଗାଇଲା ଆମେରିକା


ଓ୍ବାସିଂଟନ: ଆଜିଠୁ ଚୀନ ଉପରେ ଆମେରିକା ଲଗାଇଥିବା ବର୍ଦ୍ଧିତ ଟାରିଫ୍ ଲାଗୁ ହେବ । ଚୀନ୍ ଉପରେ ବର୍ଦ୍ଧିତ ଆକାରରେ ୧୦୪ ପ୍ରତିଶତ ଟାରିଫ୍ ଲାଗୁ କରିଛି ଆମେରିକା । ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଥିଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ । ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା । 

ଏବେ ନୂଆ ଟାରିଫ୍ ପରେ ବିଶ୍ବ ବଜାରରେ ଟଳମଲ ସ୍ଥିତି ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସୋମବାର ସି-ଜିନପିଙ୍ଗଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ୍ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ପ୍ରତିଶୋଧମୂଳ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ନିଷ୍ପତ୍ତିରୁ ନଓହରିଲେ, ଚୀନ୍ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ କହିଥିଲେ ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ବା ଯେସାକୁ ତେସା ନୀତିରେ ଆମଦାନୀ ଶୁଳ୍କ ଘୋଷଣା କରିଛନ୍ତି । ଏହି ଧାରାରେ ଚୀନ୍ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଆମେରିକା । ଏହାର ଜବାବରେ ଚୀନ୍ ମଧ୍ୟ ଆମେରିକା ଉପରେ ପ୍ରତିଶୋଧମୂଳକ ଅଧିକ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି । 

ତେବେ ଏଥିରେ କ୍ଷୁବ୍ଧ ହୋଇ ଚୀନକୁ ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ୍ । ସୋସିଆଲ ମିଡିଆ ପୋଷ୍ଟରେ ଚେତାବନୀ ଦେଇଥିଲେ, ଚୀନ୍ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ପ୍ରତ୍ୟାହାର ନକଲେ, ୯ ତାରିଖରୁ ଆମେରିକା ଚୀନ୍ ଉପରେ ଆହୁରି ଅଧିକ ୫୦ ପ୍ରତିଶତ ଟାରିଫ୍ ଲଗାଇବ । ଏଥିସହ ଚୀନ୍ ସହ ଆମେରିକାର ସମସ୍ତ ବୈଠକ ବାତିଲ କରାଯିବ । ଆମେରିକା-ଚୀନ୍ ଟାରିଫ୍ ୱାର୍ ଭିତରେ ଭାରତର ବଜାର ସ୍ଥିତି ଉପରେ କ’ଣ ପ୍ରଭାବ ପଡ଼ିବ, ସେନେଇ ଆଶଙ୍କା ଭିତରେ ଅଛନ୍ତି ନିବେଶକ ।