ବାଲେଶ୍ବର: ଦୁର୍ଘଟଣାଗ୍ରସ୍ତ କାରରେ ସୁନା ଓ ରୁପା ଗହଣା ଆଉ ବିଡ଼ା ବିଡ଼ା ଟଙ୍କା ଦେଖି ପୋଲିସ ତାଜୁବ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥଶନା ଜୁଆଣି ବଜାରରେ । ଗତକାଲି ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣା ହୋଇଥିଲା । ଦ୍ରୁତଗତିରେ ପଳାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ କାର୍ ଚାଳକ ଫେରାର ହୋଇଥିବା ବେଳେ ଦୁର୍ଘଟଣାରେ ଅନ୍ୟ ୨ ଆହତ ହୋଇଥିଲେ ।
୨ ଆହତଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ କାର୍ ଚେକିଂ କରିଥିଲା ପୋଲିସ । ଚେକିଂ ବେଳେ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା, ୪୬ ଗ୍ରାମର ସୁନା ଓ ୨୦୯ ଗ୍ରାମର ରୁପା ଅଳଙ୍କାର ମିଳିଥିଲା । ଆହତଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ କାହିଁକି କାରରେ ଦ୍ରୁତ ଗତିରେ ପଳାଉଥିଲେ ସେନେଇ ସନ୍ଦେହ ବଢିଛି । ଗୋପାଳପୁର ଥାନା ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।