ନବୀନ ପଟ୍ଟନାୟକଙ୍କ ପାଇଁ ଇନ୍ଦ୍ରଜିତ ରାଏ ସାଜିବେ କି ଭିକେ ପାଣ୍ଡିଆନ ?


ଭୁୁବନେଶ୍ୱର: ଅତି ମୋହ ହିଁ ମଣିଷର ସବୁଠୁ ବଡ ଶତ୍ରୁ । ଏହା ଆମେ କହୁନୁ ଏହା ଦ୍ୱାପର ଯୁଗରୁ ପ୍ରମାଣିତ ହୋଇ ଆସିିଛି । ସମସ୍ତେ ଜାଣିଛନ୍ତି ଯେ, ଧ୍ରୁତରାଷ୍ଟ୍ରଙ୍କ ପୁତ୍ରମୋହ କାରଣରୁ କୁରୁ ବଂଶର ନିପାତ ହେଲା । ଏମିତି ଅନେକ ଉଦାହରଣ ରହିଛି ଏବଂ ଆପଣମାନେ ନିଜ ଆଖପାଖରେ ଏହା ଦେଖିଥିବେ । ଏଠାରେ ଏହା କହିବାର ତାତ୍ପର୍ଯ୍ୟ କଣ ? କାରଣ ସଂପ୍ରତି ଓଡିଶା ରାଜନୀତିରେ ଠିକ୍ ଏମିତି ଚିତ୍ର ଦେଖିବାକୁ ମିଳୁଛି । ଯାହା ପୂର୍ବେ ୧୯୯୯ରେ ଓଡିଶା ରାଜନୀତିରେ ଘଟିଥିଲା ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲା । ଆଉ ତେବେଠୁ ଆଜି ପର୍ଯ୍ୟନ୍ତ ଓଡିଶାରେ କଂଗ୍ରେସ କ୍ଷମତାକୁ ଫେରି ପାରିନି । ଠିକ୍ ସେମିତି ଦଶା ବିଜେଡି ଏବେ ଭୋଗୁଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଧୂଣୀର ନେତା ଜାନକୀ ପଟ୍ଟନାୟକ ତ ଏବେ ଆଉ ଦୁନିଆରେ ନାହାନ୍ତି । କିନ୍ତୁ ତାଙ୍କ ପଥକୁ ଅନୁସରଣ କରି ଚାଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ବର୍ତ୍ତମାନ ଯେମିତି ଭିକେ ପାଣ୍ଡିଆନ ପ୍ରେମରେ ଉବୁଟୁବୁ ହେଉଛନ୍ତି ନବୀନ ପଟ୍ଟନାୟକ, ଠିକ୍ ସେହି ସମୟରେ ପୂର୍ବତନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାଏଙ୍କ ମୋହରୁ ବାହାରି ପାରି ନ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଆଉ ସଂପ୍ରତି ଇନ୍ଦ୍ରଜିତ ରାଏଙ୍କ ଭୂମିକାରେ ଅବତୀର୍ଣ୍ଣ ଭିକେ ପାଣ୍ଡିଆନ ।
୧୯୯୭ ମସିହାର ଘଟଣା । ସେହି ସମୟରେ ଓଡିଶାରେ କ୍ଷମତାରେ ଥିଲା କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । କଂଗ୍ରେସ ସରକାରରେ ଇନ୍ଦ୍ରଜିତ ରାଏଙ୍କୁ ଆଡଭୋକେଟ୍ ଜେନେରାଲ ପଦରେ ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ଇନ୍ଦ୍ରଜିତଙ୍କୁ ଜାନକୀଙ୍କ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । ସେଥିପାଇଁ ଇନ୍ଦ୍ରଜିତଙ୍କୁ ଜାନକୀ ଏଜି ପରି ଗୁରୁତ୍ୱପଦ ପରେ ବସାଇଥିଲେ । ତେବେ ଜଣେ ଆଇଏଫଏସ ଅଫିସର ପୂର୍ବତନ ପତ୍ନୀ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାଏଙ୍କ ବିରୋଧରେ ଯୌନ ଶୋଷଣ ପରି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଇନ୍ଦ୍ରଜିତଙ୍କୁ ହଟାଇଲେ ଅନ୍ତତଃ କଂଗ୍ରେସର ଛବି ବଞ୍ଚି ଯାଆନ୍ତା ବୋଲି ଅନେକ ନେତା ଓ ରାଜନୈତିକ ସମୀକ୍ଷକ କହିଥିଲେ । ତଥାପି ଜାନକୀ ଇନ୍ଦ୍ରଜିତ ରାଏଙ୍କୁ ଏଜି ପଦରୁ ହଟାଇ ନ ଥିଲେ । ଏହି ଘଟଣା ସେ ସମୟରେ ରାଜ୍ୟରେ ଚହଳ ପକାଇଥିଲା । କଂଗ୍ରେସକୁ ବହୁତ ବଦନାମ ହେବାକୁ ପଡିଥିଲା ।
୧୯୯୯ରେ ସେହି ସମାନ ମହିଳାଙ୍କ ସହ ଗଣ ଦୁଷ୍କର୍ମ ଘଟିଥିଲା । ଏଥିରେ ତିନି ଅଭିଯୁକ୍ତ ସାମିଲ ଥିଲେ । ଏହି ଘଟଣା ଏମିତି ମୋଡ ନେଲା ଯେ, ପୂରା ରାଜ୍ୟରେ କଂଗ୍ରେସ ବିରୋଧରେ ଲହର ଖେଳିଗଲା । ଆଉ ଏଥିରେ ଟାଣି ହୋଇଗଲେ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାଏ । ଗୁଣଦୁଷ୍କର୍ମ କେସରେ ସାରା ରାଜ୍ୟରେ ଅସନ୍ତୋଷର ନିଆଁ କୁହଳିବାରେ ଲାଗିଥିଲା । ସେ ସମୟରେ ଜନତା ଦଳ ଓ ବାମପନ୍ଥୀ ଦଳ କଂଗ୍ରେସକୁ ଘେରିଥିଲେ । ବାଧ୍ୟ ହୋଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ତଥାପି ଜାନକୀଙ୍କ ଇନ୍ଦ୍ରଜିତଙ୍କ ପ୍ରତି ମୋହ କମି ନ ଥିଲା । ଶେଷରେ ୧୯୯୭ ଯୌନ ଶୋଷଣ କେସରେ ଇନ୍ଦ୍ରଜିତ ରାଏ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଥିଲେ । ଅନ୍ୟପଟେ କଂଗ୍ରେସ ୨୦୦୦ ମସିହା ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲା । ଆଉ ଏ ପର୍ଯ୍ୟନ୍ତ ଦଳ କ୍ଷମତାକୁ ଫେରିବା ତ ଦୂରର କଥା ନିଜ ଅସ୍ଥିତ୍ୱ ବଞ୍ଚାଇବାକୁ ଲଢେଇ କରୁଛି ।
ଆଉ ଠିକ ଏହି ସମାନ ଘଟଣା ସାଂପ୍ରତିକ ରାଜନୀତିରେ ଦେଖିବାକୁ ମିଳୁଛି । ୨୦୧୨ରେ ମିଡ ନାଇଟ୍ ଅପରେସନ କାରଣରୁ ନିଜର ବ୍ୟକ୍ତିଗତ ଅତି ଘନିଷ୍ଠ ସହଯୋଗୀ ପ୍ୟାରିମୋହନ ମହାପାତ୍ରଙ୍କୁ ଦଳରୁ ବିଦା କରିଥିଲେ ନବୀନ ପଟ୍ଟନାୟକ । ଏହା ପରେ ଗଞ୍ଜାମର ଜିଲ୍ଲାପାଳ ରହିଥିବା ଭିକେ ପାଣ୍ଡିଆନଙ୍କୁ ନିଜର ବ୍ୟକ୍ତିଗତ ସଚିବ କରିଥିଲେ ନବୀନ । ସମୟ ଗଡିବା ସହିତ ନବୀନଙ୍କ ପାଣ୍ଡିଆନ ପ୍ରତି ଅନୁରକ୍ତ ଏତେ ମାତ୍ରାରେ ବଢିଗଲା ଯେ, ପାଣ୍ଡିଆନ ପ୍ରଚ୍ଛଦ ପଟରୁ ବିଜେଡିର ଶାସନ ଡୋରିକୁ ନିଜ ହାତକୁ ନେଇଗଲେ । ତାଙ୍କ ବିନା ଅନୁମତିରେ ବିଜେଡିରେ ପତ୍ରଟିଏ ବି ହଲିଲାନି । ପାଣ୍ଡିଆନଙ୍କ ବିନା ଅନୁମତିରେ ବରିଷ୍ଠ ନେତା ବି ନବୀନ ପଟ୍ଟନାୟକଙ୍କୁ ଦେଖା କରି ପାରୁ ନ ଥିଲେ ।
ବିିଶେଷ କରି ୨୦୧୯ ନିର୍ବାଚନ ପରେ ରାଜ୍ୟ ସରକାର ଫାଇଭ ଟି ସଚିବ ଭାବେ ପାଣ୍ଡିଆନଙ୍କୁ ନିଯୁକ୍ତ କରି ପୂରା ଓଡିଶାର ଶାସନ ଭାରକୁ ତାଙ୍କ ହାତରେ ଟେକି ଦେଲେ । ବିଜେଡି ଦଳ ସହ ଓଡିଶା ସରକାର ପାଣ୍ଡିଆନଙ୍କ ଅଙ୍ଗୁଳିରେ ପରିଚାଳିତ ହେଲା । ମନ୍ତ୍ରୀ ଗୌଣ ହୋଇଗଲେ । ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ପାଲଟିଗଲେ ପାଣ୍ଡିଆନ । ଏସବୁ ଦେଖିବା ପରେ ବି କ୍ଷମତା ଏବଂ ପଦ ପଦବୀ ଲୋଭରେ ସେ ସମୟରେ ସବୁ ବିଜେଡି ନେତା ନିରବ ରହିଲେ । ସବୁ ଜାଣି ବି ବିରୋଧ କିମ୍ବା ପ୍ରତିବାଦ ବି କରିପାରି ନ ଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଭିଆରଏସ ନେଇ ପ୍ରତ୍ୟେକ୍ଷ ରାଜନୀତିରେ ପାଦ ଦେଇଥିଲେ । ନିଜ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜରିଆରେ କ୍ଷମତା ପରିଚାଳନା କଲେ ।
ଆଉ ୨୦୨୪ ନିର୍ବାଚନ ତାଙ୍କ ଦିଗଦର୍ଶନରେ ହିଁ ଲଢାଗଲା । ବିଜେଡିର ଏକମାତ୍ର ଷ୍ଟାର ପ୍ରଚାରକ ପାଲଟିଗଲେ ପାଣ୍ଡିଆନ । ନବୀନଙ୍କୁ ବି ଗୌଣ କରି ଦିଆଗଲା । ମଞ୍ଚରେ କେବଳ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଲା । ବରିଷ୍ଠ ନେତାଙ୍କୁ ଟେଣ୍ଟ ବୁହା ଦାୟିତ୍ୱ ଦେଇ ଦିଆଗଲା । ଏସବୁ ଦେଖି ବିଜୁ ଲିଗାସିର ଅନେକ ବରିଷ୍ଠ ନେତା ବାଧ୍ୟ ହୋଇ ନିରବ ରହିଲେ । କର୍ମୀ ହତାସ ହେଲେ । ଆଉ ସମୟ କଡ ଲେଉଟାଇବା ଆରମ୍ଭ କଲା । ଓଡିଶାବାସୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖ୍ୟାନ କଲେ ଏବଂ ୨୪ ବର୍ଷର ନବୀନ ପଟ୍ଟନାୟକ ସରକାର ଉପରେ ଯବନିକା ପକାଇଲେ । ଆଉ ବିଜେଡି ପରାଜୟର ଏକ ମାତ୍ର କାରଣ ଥିଲେ ଭିକେ ପାଣ୍ଡିଆନ । ଓଡିଶାବାସୀ ବୁଝି ନେଇଥିଲେ ଯେ, ବିଜେଡି ଏବଂ ବିଜେଡି ସରକାରରେ ନବୀନ ପଟ୍ଟନାୟକ କିଛି ନୁହେଁ । ପାଣ୍ଡିଆନ ହିଁ ସର୍ବେସର୍ବା । ରାଜ୍ୟବାସୀ ପାଣ୍ଡିଆନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ଆଉ ପରିଣାମ ଆଜି ସଭିଙ୍କ ସାମ୍ନାରେ ।
ବିଜେଡି ନିର୍ବାଚନ ହାରିବା ପରେ ନେତାମାନେ ଖୋଲାଖୋଲି ଭିକେ ପାଣ୍ଡିଆନଙ୍କ ପ୍ରତି ବିଷୋଦଗାର କରିବା ଆରମ୍ଭ କଲେ । ପାଣ୍ଡିଆନଙ୍କ ପାଇଁ ଦଳ ଆଜି ଏମିତି ଦୋଷା ଭୋଗିଲା ବୋଲି ସିଧାସଳଖ ଗଣମାଧ୍ୟମରେ ବୟାନ ଦେଲେ । ତଥାପି ନବୀନ ପରାଜୟର ସମୀକ୍ଷା ନ କରି ପାଣ୍ଡିଆନଙ୍କୁ କ୍ଲିନ ଚିଟ୍ ଦେଇ ଦେଲେ । ଓଲଟା କହିଲେ ପାଣ୍ଡିଆନଙ୍କୁ ଦୋଷ ଦିଅନ୍ତୁ ନାହିଁ । ସେ ପାର୍ଟି ଓ ସରକାର ପାଇଁ ବହୁତ କାମ କରିଛନ୍ତି । ଏହା ପାର୍ଟିର ନେତାଙ୍କୁ ହଜମ ହୋଇ ନ ଥିଲା । କିଛି ଦିନର ନିରବତା ପରେ ଶେଷରେ ପାଣ୍ଡିଆନ ଏକ ଭିଡିଓ କ୍ଲିପ ସେୟାର କରି ରାଜନୀତି ଛାଡୁଥିବା ଘୋଷଣା କଲେ । କିନ୍ତୁ ଏହି ଘୋଷଣା କେବଳ ଲୋକ ଦେଖାଣିଆ ଥିଲା ବୋଲି ବିଜେଡିର ନେତାମାନେ ବେଶ ଭଲ ଭାବେ ଜାଣି ଥିଲେ । ପୁଣି ପରଦା ପଛରେ ରହି ବିଜେଡିକୁ ନିୟନ୍ତ୍ରଣ କରିବାକୁ ଲାଗିଛନ୍ତି ଭିକେ ପାଣ୍ଡିଆନ । ଏହାକୁ ନେଇ ଦଳରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ଅନେକ ସମୟରେ ଅନେକ ନେତା ମୁହଁ ଖୋଲୁଛନ୍ତି । କିନ୍ତୁ ନବୀନ କାହାରି କଥା ନ ଶୁଣି ପାଣ୍ଡିଆନଙ୍କୁ କେବଳ କ୍ଲିନ ଚିଟ୍ ଉପରେ କ୍ଲିନ ଚିଟ୍ ଦେଇ ଚାଲିଛନ୍ତି ।
ଆଉ ଏହାର ସଦ୍ୟତମ ଉଦାହରଣ ୱାକଫ ବିଧେୟକରେ ଦେଖିବାକୁ ମିଳିଛି । ବିଧେୟକକୁ ବିରୋଧ କରିବାକୁ ଆଗରୁ ନିଷ୍ପତ୍ତି ନେଇଥିବା ବିଜେଡି ଠିକ୍ ଭୋଟିଂ ପୂର୍ବରୁ ନିଷ୍ପତ୍ତି ବଦଲାଇଥିଲା । ଆଉ କୌଣସି ହ୍ୱିପ୍ ଜାରି ନ କରି ଭୋଟିଂ ଦେବାର ଅଧିକାର ନିଜର ରାଜ୍ୟସଭା ସାଂସଦଙ୍କ ବିବେକ ଉପରେ ଛାଡିଥିଲା । ତେବେ କେଉଁ ପରିସ୍ଥିତିରେ ଏବଂ କାହା ଇସାରାରେ ଦଳ ଏମିତି ନିଷ୍ପତ୍ତି ନେଲା ଏହାର ଉତ୍ତର ପାଇବାକୁ ଚାହିଁଥିଲେ ବିଜେଡିର ନେତା ଓ କର୍ମୀ । ଅନେକ ନେତା ଏହା ପଛରେ ପାଣ୍ଡିଆନଙ୍କ ହାତ ଥିବା ଖୋଲାଖୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଏହାକୁ ନେଇ ଦଳରେ ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ସାମ୍ନାକୁ ଆସି ପରସ୍ପର ଉପରେ କାଦୁଅ ଫୋପାଡିଥିଲେ । ୱାକଫ ବିଧେୟକ ନେଇ ବିଜେଡିରେ ଝଡ ସୃଷ୍ଟି ହେଲା । ଏସବୁ ପରେ ନବୀନ ନିରବତା ଭାଙ୍ଗିଲେ ଏବଂ ପୁଣି ଥରେ ଭିକେ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ନେତାଙ୍କୁ ତାଗିଦ କଲେ ।
ଅନେକ ନେତା ଖୁଲମଖୁଲା ପାଣ୍ଡିଆନଙ୍କୁ ବିରୋଧ କରିବା ସହ ଆଉ ଓଡିଶାରେ ପାଣ୍ଡିଆନ ଫ୍ୟାକ୍ଟର ନାହିଁ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଲେଣି । ଦଳର ସ୍ଥିତି ଦୁର୍ବଳ ହେବାରେ ଲାଗିଲାଣି । ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛ । ଯେଉଁ ନବୀନ ନିବାସରେ ନେତାମାନେ ହାତ ଯୋଡି ନତମସ୍ତକ ହୋଇ ଛିଡା ହେଉଥିଲେ, ସେହି ନବୀନ ନିବାସ ଭିତରେ ନିକଟରେ ବିଜେଡି କର୍ମୀ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଥିରୁ ସ୍ପଷ୍ଟ ଜଣା ପଡିଥିଲା ଯେ, ଦଳର ନେତା କି କର୍ମୀ କେହି ଆଉ ପାଣ୍ଡିଆନଙ୍କୁ ବରଦାସ୍ତ କରିବା ମୋଡରେ ନାହାନ୍ତି । ଯେଉଁ ପାଣ୍ଡିଆନଙ୍କ ପାଇଁ ୨୪ ବର୍ଷ ବିଜେଡି ସରକାରର ପତନ ଘଟିଲା, ଆଜି ସେହି ପାଣ୍ଡିଆନ ପାଇଁ ବିଜେଡି ଫାଳଫାଳ ହେବା ସ୍ଥିତିରେ ରହିଛି । ଏସବୁ ପରେ ବି ନବୀନ ପଟ୍ଟନାୟକଙ୍କ ପାଣ୍ଡିଆନଙ୍କ ପ୍ରତି ମୋହ କମିନାହିଁ । ଆଉ ଏହା କହିବା ଭୁଲ୍ ହେବ ନାହିଁ ଯେ, ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ପାଇଁ ଇନ୍ଦ୍ରଜିତ ରାଏ ସାଜିଛନ୍ତି ଭିକେ ପାଣ୍ଡିଆନ ।