ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ସରକାର ସ୍ୱୀକାର କରିଛନ୍ତି ଯେ ସୁରକ୍ଷାରେ ତ୍ରୁଟି ଥିଲା। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କୌଣସି ସ୍ଥାନରେ ସୁରକ୍ଷା ତ୍ରୁଟି ହୋଇଛି। ଏବେ ଆମେ କିପରି ଏବଂ କେଉଁଠାରେ ଭୁଲ ହେଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ।
ପହଲଗାମ ଆକ୍ରମଣ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଗୃହମନ୍ତ୍ରୀ ଅମିତ ଶାହ ସ୍ୱୀକାର କରିଛନ୍ତି ଯେ ଅନନ୍ତନାଗ ଜିଲ୍ଲାର ବୈସାରଣ ଅଞ୍ଚଳକୁ ଖୋଲିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସୁରକ୍ଷା ଏଜେନ୍ସିମାନଙ୍କୁ ସୂଚନା ଦେଇନଥିଲା।
ଅନ୍ୟପକ୍ଷରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କାଶ୍ମୀର ଗସ୍ତ କରିବେ। ଯେଉଁଠାରେ ସେ ଆହତମାନଙ୍କୁ ଭେଟିବେ।
କଂଗ୍ରେସ ଆତଙ୍କବାଦୀ ଆକ୍ରମଣ ଉପରେ ଡକାଯାଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁପସ୍ଥିତି ପ୍ରସଙ୍ଗ ମଧ୍ୟ ଉଠାଇଥିଲା। ଭାଷଣ ଦେବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ କହିଥିଲେ ଯେ ଆମେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ପ୍ରସଙ୍ଗ ଉଠାଇଥିଲୁ। ଆମେ କହିଥିଲୁ ଯେ ଏହା ଏତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ବୈଠକ ଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଜରୁରୀ ଥିଲା କାରଣ ସମଗ୍ର ପରିସ୍ଥିତି ଜାଣିବା ପରେ ସେ ଯେଉଁ ନିଷ୍ପତ୍ତି ନେବେ ତାହା ଗୁରୁତ୍ୱପୂର୍ଣ୍ଣ ହେବ।
ତେବେ ପହଲଗାମରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣ କେବଳ ଜମ୍ମୁ-କଶ୍ମୀରକୁ ନୁହେଁ ସମଗ୍ର ଦେଶକୁ ଝଟକା ଦେଇଛି। ଖାଲି ଏତିକି ନୁହେଁ ବିଶ୍ଵର ନେତାମାନେ ମଧ୍ଯ ଦୁଃଖ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।