Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିମଲା ଚୁକ୍ତି ବାତିଲ କରିବା ସହ ବାୟୁସୀମା ବନ୍ଦ କଲା ପାକିସ୍ତାନ

ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର ହୋଇଛି । ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିବା ବେଳେ, ୪୮ ଘଣ୍ଟାରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା । ଏହାସହ ଭିସାକୁ ତତ୍କାଳ ନିଷ୍କ୍ରିୟ କରାଯାଇଥିବା ବେଳେ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ୫୫ରୁ ୩୦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ ଭାରତର ଆଇନଗତ ଅନୁରୋଧ କ୍ରମେ ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ଲକ କରାଯାଇଛି । ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତନା ଶିମଲା ଚୁକ୍ତି ସ୍ଥଗିତ ରଖିଥିବା ବେଳେ ବାୟୁସୀମାକୁ ଭାରତ ପାଇଁ ବନ୍ଦ କରିଛି ।

ଗତକାଲି ପାକିସ୍ତାନର ଜାତୀୟ ସୁରକ୍ଷା କମିଟିର ବୈଠକ ହୋଇଥିଲା । ଏଥିରେ ଭାରତ ପାଇଁ ପାକିସ୍ତାନର ଆକାଶପଥ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଶିମଲା ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖାଯାଇଛି । ପାକିସ୍ତାନ ସମସ୍ତ ଭାରତୀୟ ବିମାନ ପାଇଁ ତା’ର ବାୟୁସୀମା ବନ୍ଦ କରିବାକୁ ଘୋଷଣା କରିଛି । ପାକିସ୍ତାନ ଦେଇ ତୃତୀୟ ଦେଶକୁ ଭାରତ ସହ ସମସ୍ତ ବାଣିଜ୍ୟକୁ ମଧ୍ୟ ତୁରନ୍ତ ବନ୍ଦ କରି ଦିଆଯାଇଛି ।

ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ପାକିସ୍ତାନ ପାଇଁ ନିର୍ଦ୍ଧାରିତ ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର କୌଣସି ପଦକ୍ଷେପ ଯୁଦ୍ଧ ସହ ସମାନ ବୋଲି ପାକିସ୍ତାନ କହିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଘୋଷଣା କରାଯାଇଛି  ।

ଆସନ୍ତୁ ଜାଣିବା ଶିମଲା ଚୁକ୍ତି କ’ଣ ?

୧୯୭୧ ମୁକ୍ତି ଆନ୍ଦୋଳନରେ ହସ୍ତକ୍ଷେପ କରିଥିଲା ଭାରତ

ପଶ୍ଚିମ ପାକିସ୍ତାନରୁ ପୂର୍ବ ପାକିସ୍ତାନ ପୃଥକ ହେବା ସହ ବାଂଲାଦେଶର ଗଠନ ହୋଇଥିଲା

ସେହି ସମୟରେ ଭାରତ-ପାକିସ୍ତାନ ଯୁଦ୍ଧ ଦେଖିବାକୁ ମିଳିଥିଲା 

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡିଥିଲା

ଏହାର ସମାଧାନ ପାଇଁ ଶିମଲା ଶାନ୍ତି ଚୁକ୍ତି ଏକ ଆଧାରଶୀଳ ଥିଲା

୧୯୭୨ ଜୁଲାଇ ୨ରେ ହିମାଚଳ ପ୍ରଦେଶ ରାଜଧାନୀ ଶିମଲାରେ ଦୁଇଦେଶ ମଧ୍ୟରେ ଚୁକ୍ତି ହୋଇଥିଲା

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନ ରାଷ୍ଟ୍ରପତି ଜୁଲ୍‌ଫିକର ଅଲି ଭୁଟ୍ଟୋ ସ୍ବାକ୍ଷର କରିଥିଲେ

ସେହିବର୍ଷ ଅଗଷ୍ଟ ୪ରେ ଏହା ଲାଗୁ କରାଯାଇଥିଲା 

ଚୁକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଲ୍ଓସି ନିର୍ଦ୍ଧାରଣ

ଦୁଇଦେଶକୁ ବିଭାଜିତ କରିଥିବା ସୀମାରେଖାରୁ ସୈନ୍ୟ ଅପସାରଣ କରିବା

ପରସ୍ପରର ଯୁଦ୍ଧବନ୍ଦୀଙ୍କୁ ପ୍ରତ୍ୟର୍ପଣ, ଦ୍ୱିପାକ୍ଷିକ ଆଲୋଚନାରେ ବିବାଦର ସମାଧାନ ଚୁକ୍ତିର ମୁଖ୍ୟ ଆଧାର ଥିଲା