Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ସରକାରଙ୍କ ନୂଆ ନିଷ୍ପତ୍ତି; ତିନି ପର୍ଯ୍ୟାୟ ଯୋଜନା ଘୋଷଣା

ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ସରକାର ପାକିସ୍ତାନ ସହିତ ୧୯୬୦ରେ ସ୍ଥାପିତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିଛନ୍ତି। ଏହା ସହିତ ପାକିସ୍ତାନକୁ ପାଣି ପ୍ରବାହ ଅଟକାଇବା ଓ ଭାରତର ଜଳ ବ୍ୟବହାର ବୃଦ୍ଧି ପାଇଁ ଏକ ତିନି ପର୍ଯ୍ୟାୟ ଯୋଜନା ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତିକୁ ପାକିସ୍ତାନ ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ଏକ କଠୋର ଜବାବ ଭାବେ ଦେଖାଯାଉଛି।

ଗତ ଏପ୍ରିଲ ୨୨ ତାରିଖ ଦିନ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଭାରତ ଏହି ଆକ୍ରମଣକୁ ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦର ଏକ ଅଂଶ ବୋଲି ଅଭିଯୋଗ କରି ସିନ୍ଧୁ ଜଳ ଚୁକ୍ତିକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖିଛି। ଏହା ଅଧୀନରେ ନଦୀ ସମ୍ପଦ୍ଧୀୟ ତଥ୍ୟ ଆଦାନପ୍ରଦାନ, ସ୍ଥାୟୀ ସିନ୍ଧୁ ଆୟୋଗର ବୈଠକ ଏବଂ ନୂଆ ପ୍ରକଳ୍ପ ସମ୍ପର୍କରେ ପୂର୍ବ ସୂଚନା ଦେବା ବନ୍ଦ ହେବ ବୋଲି ସୂଚନା ମିଳିଛି। ତେବେ ଏହି ପଦକ୍ଷେପର ସଫଳ ରୁପାୟନ ପାଇଁ ଭାରତ ଏକ ତିନି ପର୍ଯ୍ୟାୟ ବିଶିଷ୍ଟ ଯୋଜନା ପ୍ରସ୍ତୁତ କରିଛି।

କ’ଣ ଏହି ତିନି ପର୍ଯ୍ୟାୟ ବିସିଷ୍ଟ ଯୋଜନା?

ଭାରତ ସରକାର ନିମ୍ନଲିଖିତ ତିନୋଟି ପଦକ୍ଷେପ ଘୋଷଣା କରିଛନ୍ତି:

ପାକିସ୍ତାନକୁ ପାଣି ପ୍ରବାହ ଅଟକାଇବା: ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ବଣ୍ଟନ ହୋଇଥିବା ସିନ୍ଧୁ, ଝେଲମ ଓ ଚେନାବ ନଦୀର ପାଣି ପ୍ରବାହକୁ ଅଟକାଇବାକୁ ଭାରତ ଯୋଜନା କରିଛି। ତେବେ ବିଶେଷଜ୍ଞମାନେ ମତ୍ତ ଦେଇ କହିଛନ୍ତି ଯେ, ଭାରତରେ ବର୍ତ୍ତମାନ ଏହି ପାଣିକୁ ସଂଗ୍ରହ କିମ୍ବା ଡାଇଭର୍ଟ କରିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ଏହା କାର୍ଯ୍ୟକାରୀ ହେବାକୁ ବର୍ଷ ବର୍ଷ ଲାଗିପାରେ।

ବନ୍ଧ କ୍ଷମତା ବୃଦ୍ଧି: ଭାରତ ସରକାର ସିନ୍ଧୁ ନଦୀ ତନ୍ତ୍ରରେ ଥିବା ବନ୍ଧଗୁଡ଼ିକର ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଓ ଆଧୁନିକ ପ୍ରଯୁକ୍ତି ସହାୟତାରେ ନୂଆ ବନ୍ଧ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହା ଭାରତକୁ କୃଷି ଓ ଜଳବିଦ୍ୟୁତ ପାଇଁ ଅଧିକ ପାଣି ସଂଗ୍ରହ କରିବାରେ ସହାୟକ ହେବ। ଯେଉଁତିପାଇଁ ପାକିସ୍ତାନକୁ ନଦୀର ଜଳ ପ୍ରବାହ କମିବ।

ପାଣିର ସର୍ବାଧିକ ବ୍ୟବହାର: ଚୁକ୍ତିରେ ଭାରତକୁ ମିଳିଥିବା ପଶ୍ଚିମ ତଟ ଦେଶୀୟ ନଦୀଗୁଡ଼ିକର ପାଣିକୁ ଜଳବିଦ୍ୟୁତ ଓ ଜଳସେଚନ ପାଇଁ ସମ୍ପୂର୍ଣ୍ଣ ବ୍ୟବହାର କରାଯିବ। ପୂର୍ବରୁ ଥିବା ପ୍ରକଳ୍ପର ଡିଜାଇନ ଓ ପରିଚାଳନା ଉପରେ ଥିବା ନିୟନ୍ତ୍ରଣକୁ ଏବେ ଅଣଦେଖା କରାଯିବ ଓ ନୂଆ ନିୟମକୁ କାର୍ଯ୍ୟକାରୀ କରାଯିବ।

ତେବେ ପାକିସ୍ତାନ ଭାରତର ଏହି ନିଷ୍ପତ୍ତିକୁ “ଜଳ ଯୁଦ୍ଧ” ଓ “ଯୁଦ୍ଧର କାର୍ଯ୍ୟ” ବୋଲି ଅଭିହିତ କରି ବିଶ୍ଵ ବ୍ୟାଙ୍କ ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ ମଞ୍ଚରେ ଆଇନଗତ ପଦକ୍ଷେପ ନେବାକୁ ଧମକ ଦେଇଛି। ଏହା ସହ ପାକିସ୍ତାନ ୧୯୭୨ର ସିମଲା ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖିଛି ଏବଂ ଭାରତୀୟ ବିମାନ ଚଳାଚଳ ପାଇଁ ନିଜ ଆକାଶମାର୍ଗକୁ ବନ୍ଦ କରିଛି।

ସିନ୍ଧୁ ନଦୀ ତନ୍ତ୍ରର ୮୦% ପାଣି (ପ୍ରାୟ ୧୩୫ ନିୟୁତ ଏକର-ଫୁଟ) ପାକିସ୍ତାନକୁ ମିଳିଥାଏ। ଯାହା ପାକିସ୍ତାନର କୃଷି (ଅର୍ଥନୀତିର ୨୫%) ଓ ୭୦% ଗ୍ରାମୀଣ ଜନସଂଖ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବହନ କରିଥାଏ। ପାଣି ପ୍ରବାହରେ ୫-୧୦% ହ୍ରାସ ହେଲେ ମଧ୍ୟ ପାକିସ୍ତାନର ଫସଲ ଉତ୍ପାଦନ ଓ ଜଳବିଦ୍ୟୁତ ଉତ୍ପାଦନ (ଯଥା ତାରବେଲା ଓ ମାଙ୍ଗଲା ବନ୍ଧ) ବହୁଳ ଭାବେ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

ଭାରତର ଏହି ନିଷ୍ପତ୍ତିକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତ ନିକଟରେ ବର୍ତ୍ତମାନ ପାଣି ସଂଗ୍ରହ କିମ୍ବା ଡାଇଭର୍ଟ କରିବା ପାଇଁ ବଡ଼ ଭିତ୍ତିଭୂମିର ଅଭାବ ରହିଛି। ଏହା କାର୍ଯ୍ୟକାରୀ ହେବାକୁ ଅତି କମରେ ଦୁଇ ବର୍ଷର ସମୟ ଲାଗିପାରେ। ତେଣୁ ଏହି ନିଷ୍ପତ୍ତି ଅମୁସାରେ ତୁରନ୍ତ ପାଣି ଅଟକାଇବା ଅପେକ୍ଷା ପାକିସ୍ତାନ ଉପରେ ରାଜନୈତିକ ଓ ମାନସିକ ଚାପ ସୃଷ୍ଟି କରିବାର ଏକ ରଣନୀତି ଭାବେ ଦେଖାଯାଉଛି। ତେବେ ଦୀର୍ଘମିଆଦୀ ଦୃଷ୍ଟିରୁ ଏହା ପାକିସ୍ତାନର ଜଳ ସଙ୍କଟକୁ ଆହୁରି ବଢ଼ାଇଦେଇଛି। ବିଶେଷକରି ଗୀଷ୍ମ ଋତୁ ଭଳି ଶୁଷ୍କ ଋତୁରେ ଏହା ପାକିସ୍ତାନରେ ଉତ୍କଟ ଜଳ ସଙ୍କଟ ସୃଷ୍ଟି କରିବ।