ଉଲୁଣ୍ଡା : (ସୌମିତ୍ରି ମେହେର) ଅନ୍ଧବିଶ୍ୱାସ ପାଇଁ ଜନ୍ମ କଲା ଝିଅର ଜୀବନ ନେଇଗଲେ ମହିଳା । ସ୍ୱପ୍ନାଦେଶ ପରେ ପିଶାଚିନୀ ପାଲଟିଗଲେ ଜନ୍ମଦାତ୍ରୀ । ନିଜେ ଜନ୍ମ କଲା ୫ ବର୍ଷ ଶିଶୁ କନ୍ୟାର ତଂଟି ଚିପି ଅତି ନିର୍ମମ ହତ୍ୟା କରିବାକୁ ମଧ୍ୟ ପଛାଇନଥିଲେ । ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ତଥା ବୀରମହାରାଜପୁର ଥାନା କୋଟସମଲାଇ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଗତ ଫେବୃୟାରୀ ୨୪ ତାରିଖ କୋଟସମଲାଇ ଗ୍ରାମର ଗଣେଶ ମହାପାତ୍ରଙ୍କ ୫ ବର୍ଷର ଝିଅ ନିଶାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ନିଶା ବିଦ୍ୟାଳୟରୁ ଆସିବା ପରେ ହଠାତ ଗୁରୁତର ହୋଇ ପଡିଥିବା ବେଳେ ପରିବାର ଲୋକ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବୀରମହାରାଜପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିଲା । ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଶ୍ୱାସରୁଦ୍ଧ ହୋଇ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ପୁଲିସ ଏନେଇ ଅଧିକ ତଦନ୍ତ କରିବା ପରେ ମୃତ ଶିଶୁ କନ୍ୟାର ଜନ୍ମ କଲା ମା’ ଆଶାଲତା ମହାପାତ୍ର ଝିଅର ତଂଟି ଚିପି ହତ୍ୟା କରିଥିବା ଜାଣିବାକୁ ପାଇଥିଲା । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ଆଶାଲତାଙ୍କୁ ମା’ ଭାନୁମତୀ ଦେବୀ ସ୍ୱପ୍ନାଦେଶ କରିଥିଲେ । ଆଶାଲତାଙ୍କ ଗର୍ଭରୁ ଜନ୍ମ ନେଇଥିବା ନିଶା ପରିବାର ପାଇଁ ଅମଙ୍ଗଳ ଏବଂ ସେ ବଂଚିଥିବା ଯାଏଁ ପରିବାର ସଦସ୍ୟଙ୍କର ଅନେକ ଅନିଷ୍ଟ ହେବ ବୋଲି ରାତିରେ ଶୋଇଥିବା ବେଳେ ଆଶାଲତା ସ୍ୱପ୍ନ ଦେଖିଥିଲେ । ସେହି ଦିନ ଠାରୁ ଆଶାଲତା ସବୁବେଳେ ପରିବାର ଲୋକଙ୍କୁ ରାଗିବା ସହିତ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେବେ ଘଟଣା ଦିନ ନିଶା ବିଦ୍ୟାଳୟରୁ ଆସିବା ପରେ ତାଙ୍କ ମା’ ଆଶାଲତା ନିଜ କୋଳରେ ବସେଇ ଏକ ଶାଢିର ଧଡି ସାହାଯ୍ୟରେ ତଂଟି ଚିପି ନିର୍ମମ ହତ୍ୟା କରିବା ସହିତ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ବ୍ୟବଚ୍ଛେଦ ରିପୋର୍ଟରୁ ଆଶାଲତାଙ୍କ ପିଶାଚିନୀ ରୂପ ପଦାକୁ ଆଶିଥିଲା । ତଦନ୍ତ ବେଳେ ପୁଲିସ ସମ୍ମୁଖରେ ଆଶାଲତା ସବୁ ସତ କଥା ଗୋଟି ଗୋଟି କରି ବଖାଣିଥିଲେ । ଫଳରେ ପୁଲିସ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୧୦୩, ୨୩୮ ବିଏନଏସ ରେ ଆଶାଲତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବୀରମହାରାଜପୁର ଏସଡିପୋଓ ହେମନ୍ତ ରାଓଙ୍କ ଠାରୁ ସୂଚନା ମିଳିଛି । ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ଵପ୍ନାଦେଶ ପରେ ମା ପାଲଟିଲା ପିଶାଚିନି : ଜନ୍ମକଲା ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା
