ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରିବ ଏନଆଇଏ


ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ହାତକୁ ନେଇଛି ଏନଆଇଏ।

ଗତ ମଙ୍ଗଳବାର ଦିନ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଥିଲା। ପରେ ବୁଧବାରଠାରୁ ଆକ୍ରମଣ ସ୍ଥାନରେ NIA ଦଳଗୁଡ଼ିକ କ୍ୟାମ୍ପ କରି ଛାନଭିନ କରୁଛନ୍ତି। ବୁଧବାରଠାରୁ NIA ଟିମ୍ ପହଲଗାମର ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପ୍ରମାଣ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଆକ୍ରମଣର ପଦ୍ଧତି ଏବଂ ସେମାନଙ୍କ ଖସିଯିବାର ରାସ୍ତା ନିର୍ଣ୍ଣୟ କରିବା ପାଇଁ NIA ଦଳଗୁଡ଼ିକ ଅଞ୍ଚଳକୁ ନିକଟରୁ ଯାଞ୍ଚ କରୁଛନ୍ତି।

ବୈସାରନ ଘାଟିରେ ହୋଇଥିବା ଏହି ଆକ୍ରମଣକୁ କାଶ୍ମୀରର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଏହି ଭୟଙ୍କର ଦୃଶ୍ୟ ନିଜ ଆଖିରେ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କୁ ମଧ୍ୟ NIA ଦଳ ପଚରାଉଚରା କରୁଛନ୍ତି।

NIAର ଜଣେ IG, ଜଣେ DIG ଏବଂ ଜଣେ SPଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ଫରେନସିକ୍ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଙ୍କ ସହାୟତାରେ ଅପରାଧ ସ୍ଥଳର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଏହି ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା। ତେବେ ପୂର୍ବରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏପରିକି କେନ୍ଦ୍ର ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାର ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବା ପାଇଁ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଥିଲେ।