ଓଡ଼ିଶା ଡଟ୍ ନ୍ୟୁଜ୍: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁରରେ ଯୁବକଙ୍କୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ଘରୁ ଡାକି ନେଇ ଗାଁ ମୁଣ୍ଡରେ ଛୁରୀ ଭୁସି ହତ୍ୟା କରିଛନ୍ତି ପଡୋଶୀ ଯୁବକ । ଥାନାରେ ଅଭିଯୋଗ ପରେ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ମଙ୍ଗରାଜପୁର ଗାଁ ମୁଣ୍ଡ ଷ୍ଟାଡିୟମ ନିକଟରେ ଯୁବକଙ୍କୁ ହତ୍ୟା କରାଯାଇଛି । ତାଙ୍କ ଶରୀରରେ ୮ରୁ ୧୦ଟି ଜାଗାରେ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁସା ଯାଇଛି । ତାଙ୍କର ବେକ, ଛାତି, ତଳିପେଟ, ହାତ ଆଦି ବିଭିନ୍ନ ଜାଗାରେ ଗଭୀର କ୍ଷତ ଦେଖିବାକୁ ମିଳିଛି ।
ହତ୍ୟାକାଣ୍ଡରେ ୫ ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ଅଭିଯୁକ୍ତମାନେ ମୃତକଙ୍କ ପଡୋଶୀ । କୌଣସି କାରଣରୁ ଗଣ୍ଡଗୋଳକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଚେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।