ପାରାଦୀପରେ ହେବ ନୂଆ ଏୟାରପୋର୍ଟ


ଓଡ଼ିଶା ଡଟ୍ ନ୍ୟୁଜ୍: ବନ୍ଦର ସହର ପାରାଦୀପ । ଏଠି ଜାହାଜ ଲାଗେ, ହେଲେ ଉଡ଼ାଜାହାଜ ଉଡ଼େନି । ହେଲେ ଏବେ ପାରାଦୀରୁ ଉଡ଼ିବ ଉଡ଼ାଜାହାଜ । ଏଠି ହେବ ନୂଆ ଏୟାରପୋର୍ଟ । ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ । ଅନ୍ୟପକ୍ଷରେ ପୁରୀରେ ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟର ୧୫ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ପାଇଁ ବୈଠକରେ ଆଲୋଚନା ହୋଇଛି ।

ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ରର ବିକାଶ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ନୋଡାଲ ଏଜେନ୍ସି ଭାବରେ ଏହି ବିକାଶ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ରାଉରକେଲା ବିମାନବନ୍ଦର ଉନ୍ନତୀକରଣ ଉପରେ ମଧ୍ୟ ଆଲୋଚନା ହୋଇଛି । ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ୍ ଓ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଏହି ଅବସରରେ ବିମାନବନ୍ଦର, ହେଲିପ୍ୟାଡ୍ ଓ ଡ୍ରୋନ୍ ହବ୍ ସମେତ ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଆଧୁନିକ ଭିତ୍ତିଭୂମି ଓ ଉନ୍ନତ ମାନବ ସମ୍ବଳର ପ୍ରସ୍ତାବ ସହିତ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ପୁନର୍ଗଠନ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଛି ।