କେନାଲ ପାଣି ବନ୍ଦ ଯୋଗୁଁ ରବି ଧାନ ଫସଲ ନଷ୍ଟ ଆଶଙ୍କାରେ ଚାଷି ଦ୍ୱାରସ୍ଥ ହେଲେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ହରିହର ଯୋର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ପାଣି ଗତ ୧୫ତାରିଖରୁ ପାଣି ଛାଡିବା ବନ୍ଦ କରାଯାଇଛି । ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ରବିଚାଷର ଧାନ ଅମଳ ହୋଇପାରି ନ ଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି । ତେଣୁ ପୁନଃ ସାତ ଦିନ ପାଇଁ କେନାଲରେ ପାଣି ଛାଡିବା ପାଇଁ ଆଜି ଚାଷୀମାନେ ବୀରମହାରାଜପୁର ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର କୁ ଆସି ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରି ଛନ୍ତି l କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ସୂଚନା ଅନୁସାରେ ହରିହର ଯୋର ଜଳସେଚନ ପ୍ରକଳ୍ପର କେନାଲ ନଂ ୧ରୁ ୯ ପର୍ଯ୍ୟନ୍ତ ପ୍ରଶାସନ ଆଦେଶରେ ଚାଷ କରାଯାଇଅଛି ।ଚଳିତ ରବିଋତୁରେ ଚାଷୀମାନଙ୍କୁ ଏକ ମାସ ବିଳମ୍ବରେ ପାଣି ଦିଆଯାଇଛି । ଯାହା ଫଳରେ ଚାଷ ମଧ୍ୟ ବିଳମ୍ବ ହୋଇଛି ।ବର୍ତ୍ତମାନ ସୁଦ୍ଧା ଧାନ ଅମଳ ଯୋଗ୍ୟ ହୋଇପାରିନାହିଁ । ପାଣି ବନ୍ଦ କରାଯିବାରୁ ଧାନ ଚାଷ ମରି ନଷ୍ଟ ହେବା ଉପରେ ବସିଲାଣି । ତେଣୁ କେନାଲରେ ଆଉ ସାତ ଦିନ ପାଣି ଛାଡିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।