ପୋଖରୀ ଖନନ ବେଳେ ବଡ଼ ଅଘଟଣB ଶୋଇଥିବା ବେଳେ ଟ୍ରାକ୍ଟର ଚଢି ଯାଇ ଜେସିବି ଡ୍ରାଇଭର ମୃତ


ଝାରସୁଗୁଡା ୨୦/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା କତରବଗା ଗାଁର ମହାଦେବ ବନ୍ଧର ମାଟି ଖନନ ବେଳେ ଏକ ବଡ଼ ଅଘଟନ ଘଟିଛି । କାମ ସାରି ଏକ ଗଛମୂଳେ ଜେସିବି ଡ୍ରାଇଭର ଶୋଇଥିବା ଅବସ୍ଥାରେ ତାଙ୍କ ଉପରେ ଟ୍ରାକ୍ଟରର ଟ୍ରଲି ଚକ ଚଢ଼ି ଯିବାରୁ ସେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ମୃତକ ଜେସିବି ଡ୍ରାଇଭର ଜଣକ ରେଙ୍ଗାଲି ଥାନା ପଞ୍ଚଗାଁ ପଞ୍ଚାୟତ ରେଙ୍ଗାଲି ଗାଁର ତାରାଚାନ୍ଦ ପଧାନ ଙ୍କ ବଡ଼ପୁଅ ଅର୍ଜୁନ ପଧାନ (୩୪) ବୋଲି ଜଣା ପଡ଼ିଛି । ଖବର ପାଇ ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ତଥ୍ୟ ଅନୁସାରେ କତରବଗା ଗାଁର ମହାଦେବ ବନ୍ଧରେ ରବିବାର ରାତିରେ ଜେସିବି ଓ ଟ୍ରାକ୍ଟର ଲଗାଇ ମାଟି ଖନନ କାର୍ଯ୍ୟ ଚାଲିଥିଲା । କିନ୍ତୁ ଜେସିବି ଡ୍ରାଇଭର ଅର୍ଜୁନ ରାତି ପ୍ରାୟ ୨ ଟା ପର୍ଯ୍ୟନ୍ତ ଜେସିବି ଚଳାଇବା ପରେ ବନ୍ଧ ନିକଟସ୍ଥ ମହାଦେବ ମନ୍ଦିର ପରିସରରେ ଥିବା ବରଗଛ ମୂଳେ ଶୋଇଥିଲେ ଏବଂ ଅନ୍ୟ ଜଣେ ଡ୍ରାଇଭର ଜେସିବିକୁ ଚଳାଇ ଥିଲେ । ହେଲେ ସୋମବାର ଭୋର ପ୍ରାୟ ୫ ଟା ସମୟରେ ସେହି ବନ୍ଧ ମାଟି କାମରେ ନିୟୋଜିତ ଥିବା (ସିଜି ୧୩-ଏଏମ-୬୯୦୦) ଟ୍ରାକ୍ଟରର ଡ୍ରାଇଭର ଜଣକ ପଛକରି ଆଣୁଥିବା ବେଳେ ଉକ୍ତ ବରଗଛ ମୂଳରେ ଶୋଇଥିବା ଜେସିବି ଡ୍ରାଇଭର ଅର୍ଜୁନଙ୍କ ଉପରେ ଟ୍ରଲି ଚକ ଚଢି ଯିବା ଫଳରେ ଅର୍ଜୁନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଚିତ୍ରସେନ ଦେହେରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ଶବକୁ ଜବତ କରି ପଞ୍ଚନାମା କରିଥିଲେ ଏବଂ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା । ରେଙ୍ଗାଲି ଗାଁକୁ ଅର୍ଜୁନଙ୍କ ଶବ ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଥିଲା । ଗାଁର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଓ କାର୍ଯ୍ୟରେ ନିୟୋଜିତ ଥିବା ଜେସିବିକୁ ଜବତ କରି ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।