ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଗ୍ରାମରେ ଅମୃତ ସରୋବର ପୋଖରୀ ଖନନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ସ୍ଥାନରେ ଖନନ ନ କରି ଅନ୍ୟତ୍ର ତଥା ଶ୍ରମିକ ବଦଳରେ ମେସିନ ଯୋଗେ କାମ ହୋଇଥିବା ଅଭିଯୋଗ ଆଣି ବୁଧବାର ବାଗବର ଗ୍ରାମବାସୀ ବି ଡି ଓ ଙ୍କ ଠାରେ ଅଭିଯୋଗ କରିଛନ୍ତି ।
ବି ଡି ଓ ଙ୍କ ଅନୁପସ୍ଥିତିରେ ଏବିଡିଓ ପୁରୁଷୋତ୍ତମ ଧାରୁଆ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ଏହାର ତଦନ୍ତ କରିବାକୁ ଦାବିକରିଛନ୍ତି । ପ୍ରକାଶ ଥାଉକି ଗ୍ରାମର ମାଉଳି ବନ୍ଧରେ ଅମୃତ ସରୋବର ପୋଖରୀ ଖନନ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହା ଖୋଲାଯିବା ବଦଳରେ ଏହା ଅନ୍ୟ ଏକ ଦାଦର ବନ୍ଧରେ ଖୋଲାଯାଉଥିବା ଅଭିଯୋଗ ହୋଇଛି । ଉକ୍ତ ଦାଦର ବନ୍ଧରେ ପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ମାଟି କାମ ହୋଇଛି । ତେବେ ଉକ୍ତ ବନ୍ଧରେ କମ କାମ କରି ସମ୍ପୂର୍ଣ୍ଣ ବିଲ କରି ଅର୍ଥ ଆତ୍ମସାତ ପାଇଁ ଯୋଜନା ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମର ମାଉଳି ବନ୍ଧ କୁ ବାଗବର ଗ୍ରାମପଞ୍ଚାୟତ ପକ୍ଷରୁ ଅମୃତ ସରୋବର ପୋଖରୀ ଖନନ ପାଇଁ ନିଆଯାଇଛି ।ମନରେଗା ଯୋଜନାରେ ଉକ୍ତ ବନ୍ଧ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୭ ଦିନର ମଷ୍ଟର ରୋଲ ବହାରି ଥିଲେ ମଧ୍ୟ ବିଲ ପୈଠ ହୋଇନଥିବା ଜଣାଯାଇଛି। କିନ୍ତୁ ପ୍ରକୃତ ମଉଳି ବନ୍ଧରେ କାର୍ଯ୍ୟ ନକରି ଦାଦର ବନ୍ଧରେ କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମନରେଗା ଯୋଜନାରେ କାର୍ଯ୍ୟ ହେଉଥିଲେ ମଧ୍ୟ ଶ୍ରମିକ ବଦଳରେ ମେସିନ୍ ଦ୍ଵାରା ମାଟି ଖନନ ହେଉଥିବା ଅଭିଯୋଗ ହୋଇଛି । ଏହାର ସତ୍ୟା ସତ୍ୟ ତଦନ୍ତ କରି ପ୍ରକୃତ ସ୍ଥାନରେ ପୋକରି ଖନନ କରାଯାଉ ଓ ସରକାରୀ ନିର୍ଦ୍ଦେଶ ନାମା ଅନୁସାରେ କାର୍ଯ୍ୟ ସମ୍ପାଦନ କରିବାକୁ ଦାବି କରିଛନ୍ତି । ଆଜି ଅମୃତ ସରୋବର ପୋଖରୀ ଖନନରେ ଅନିୟମିତତା ଅଭିଯୋଗ ପତ୍ର ବାଗବର ଗ୍ରାମ ବାସୀଙ୍କ ଠାରୁ ପାଇଛି । ଉକ୍ତ କାର୍ଯ୍ୟ ଗ୍ରାମ ପଞ୍ଚାୟତ ରୁ ସମ୍ପାଦନ ହେଉଛି । ୭ ଦିନର ମଷ୍ଟର ରୋଲ ବାହାରିଛି କି ନାହିଁ ତଦନ୍ତ କଲାପରେ ଜଣାପଡ଼ିବ । ଖୁବ୍ ଶୀଘ୍ର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଡିଓ ପୁରୁଷୋତ୍ତମ ଧାରୁଆ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ତଦନ୍ତ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଅମୃତ ସରୋବର ପୋଖରି ପାଇଁ ଶ୍ରମିକ ବଦଳରେ ମେସିନ ଯୋଗେ କାମ ହେଉଥିବା ଅଭିଯୋଗ
