Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଫୋନ୍ କଲ୍ ରେକର୍ଡ ଯାଞ୍ଚ ପରେ ପୁଣି ୩ ଜଣଙ୍କୁ ପଚରାଉଚରା

ଝାରସୁଗୁଡ଼ା ୩୧/୫ (ଓଡ଼ିଶା ନ୍ୟୁଜ) ବହୁ ଚର୍ଚ୍ଚିତ ପୂର୍ବତନ ସାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା କୋର୍ଟରେ ବିଚାରାଧୀନ ରହିଛି । ଇତି ମଧ୍ୟରେ ଏହି ଘଟଣାର ୨ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇ ଗଲାଣି । ଅଥଚ ବର୍ତ୍ତମାନ ସୁଦ୍ଧା ଉକ୍ତ ମାମଲାର ପର୍ଦ୍ଦାଫାଶ ହୋଇ ପାରିନାହିଁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ଦ୍ବାରା ଏହି ମାମଲାର ପୁନଃ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ୨ ଜଣିଆ ତଦନ୍ତକାରୀ ଦଳ ଝାରସୁଗୁଡ଼ାରେ ପହଞ୍ଚି ଗତ ମାର୍ଚ୍ଚ ୧୮ରୁ ୨୩ ତାରିଖ ୬ ଦିନ ଧରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରିବାର ବର୍ଗଙ୍କ ସମେତ ଅନ୍ୟାନ୍ୟ ଲୋକଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଥିଲେ । ଏହା ପରେ କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁରରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଗୋପାଳ ଦାସଙ୍କ ପରିବାର ବର୍ଗଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ପୁଣି ଏହାର ୨ ମାସ ପରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଶ୍ରୀ ମଲ୍ଲିକ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଫାଣ୍ଡିରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ଫୋନ୍ କଲ୍ ରେକର୍ଡ ଯାଞ୍ଚ ପରେ ହତ୍ୟାକାଣ୍ଡ ଦିନ ପୁଲିସ ଏଏସଆଇ ଗୋପାଳ କାହା କାହା ସହିତ କଥା ହୋଇଥିଲେ ଓ କ’ଣ କଥା ହୋଇଥିଲେ ସେ ନେଇ ଝାରସୁଗୁଡା ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗଣେଶ ରାମ ବାଗ, ପ୍ରବୀଣ ଦେଓ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମନୋଜ ବେରିହାଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି । ଏହି ପ୍ରକ୍ରିୟା ଶୁକ୍ରବାର ପୂର୍ବାହ୍ନ ୧୧ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଏନେଇ ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଏସପି ଶ୍ରୀ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କଲ୍ ରେକର୍ଡ ଯାଞ୍ଚ ପରେ ମିଳିଥିବା ତଥ୍ୟ ଆଧାରରେ ଆଗକୁ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ