Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂମିକମ୍ପର ସୁଯୋଗ ନେଇ କରାଚୀ ଜେଲରୁ ୨୦୦ରୁ ଅଧିକ କଏଦୀ ଫେରାର

କରାଚୀ: ପାକିସ୍ତାନର କରାଚୀ ସହରରେ ମଙ୍ଗଳବାର ଭୂମିକମ୍ପ ଘଟିଥିବା ବେଳେ ଏହାର ଫାଇଦା ଉଠାଇଥିଲେ କଏଦୀମାନେ। ପ୍ରବଳ ଭୂମିକମ୍ପ ପରେ ଯେତେବେଳେ ପ୍ରାୟ ୮୦୦ କଏଦୀ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ, ସେଠାରେ ହଙ୍ଗାମା ହୋଇଥିଲା। କଏଦୀମାନେ ସୁଯୋଗ ଦେଖି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଗୁଳିଚାଳନା ଏବଂ ଧସ୍ତାଧସ୍ତି ମଧ୍ୟରେ ୨୧୩ ଜଣ କୁଖ୍ୟାତ କଏଦୀ ଖସି ପଳାଇଥିଲେ।

ସେମାନଙ୍କ ମଧ୍ୟରୁ ଅନେକ ଆତଙ୍କବାଦୀ ବୋଲି ମଧ୍ୟ କୁହାଯାଉଛି। କରାଚିର ମାଲିର ଜେଲରେ ଏହି ଘଟଣା ଘଟିଛି। ଜେଲ ଭାଙ୍ଗି ପଳାଇବା ସମୟରେ ଅନେକ କଏଦୀ ଏବଂ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ। ଫଳରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ବଡ଼ ପରିମାଣରେ ଅପରାଧୀ ଖସିଯିବା ପରେ କରାଚୀରେ ଏକ ସତର୍କ ସୂଚନା ଜାରି ସହ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ୭୬ ଜଣ କଏଦୀଙ୍କୁ ଧରାଯାଇଛି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନର କରାଚୀ ସହରରେ ଭୂମିକମ୍ପର ତିନୋଟି ଝଟକା ଅନୁଭୂତ ହୋଇଥିଲା। କରାଚୀ ଜେଲରେ ମଧ୍ୟ ଭୂମିକମ୍ପ ବେଳେ କଏଦୀମାନଙ୍କୁ ବାରାକରୁ ବାହାର କରି ଖୋଲା ଅଞ୍ଚଳକୁ ଅଣାଯାଇଥିଲା। ସେହି ସମୟରେ ୮୦୦ରୁ ୧୦୦୦ କଏଦୀ ଏକାଠି ହୋଇଥିଲେ। ତା’ପରେ କିଛି କଏଦୀ ସୁରକ୍ଷାକର୍ମୀଙ୍କ ରାଇଫଲ ଛଡ଼ାଇ ନେଇ ଗୁଳି ଚଳାଇବା ଆରମ୍ଭ କରିଦେଲେ। ହଠାତ୍ ଆତଙ୍କ ଖେଳି ଯାଇଥିବା ବେଳେ କଏଦୀମାନେ ସୁଯୋଗ ଦେଖି ଖସି ପଳାଇଥିଲେ।

ଏହି କଏଦୀମାନଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ହତ୍ୟା ଅଭିଯୁକ୍ତ ଏବଂ ଆତଙ୍କବାଦୀ ଥିବା ଜଣାପଡିବା ପରେ କରାଚୀ ପୋଲିସ ଏବଂ ପାକିସ୍ତାନ ସେନା ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ