ଚିପିଲିମା, ୭/୬ ସଡ଼କ ଦୁର୍ଘଟଣାରେ ସମ୍ବଲପୁର ଜିଲ୍ଲା ବୁର୍ଲାଥାନା କରଡୋଳା ଗ୍ରାମର ମନୋଜ ମେହେର (୪୬) ଓ ବରଗଡ଼ ଜିଲ୍ଲା ଚିଚିଣ୍ଡା ଗ୍ରାମର ସୁଶାନ୍ତ ମେହେର (୪୬)ଙ୍କ ମୃତ୍ୟୁ ଘଟିଥିବାବେଳେ, ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି l ମିଳିଥିବା ସୂଚନା ଅନୁଯାୟୀ କିଛିମାସ ହେଲା କରଡୋଳା ର ମନୋଜ ମେହେର ଚିଚିଣ୍ଡାରେ ରହୁଥିବାବେଳେ, ଗତକାଲି କୌଣସି କାମରେ ଝାରସୁଗୁଡା ଜିଲ୍ଲା କୋଲାବିରା ଅଞ୍ଚଳକୁ ଯାଇ ଓଆର ୧୫ଆର ୨୧୯୭ ନମ୍ବର ବିଶିଷ୍ଟ ବାଇକରେ ଫେରୁଥିଲେ l ହେଲେ ଭାଗ୍ୟର ବିଡମ୍ବନା ଶିରିଆପାଲି ଛକରେ ଅପରପାର୍ଶ୍ୱରୁ ଆସୁଥିବା ଓଡି ୧୪ଜେ ୨୦୩୩ ନମ୍ବର ବିଶିଷ୍ଟ ଘରୋଇ ବସ ଏକ ଟ୍ରକକୁ ଓଭର ଟେକ ବେଳେ ବାଇକକୁ ଜୋରରେ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ମନୋଜ ଓ ସୁଶାନ୍ତ ଛିଟିକି ପଡି ଗୁରୁତର ହୋଇଥିଲେ l କୋଲାବିରା ପୋଲିସ ଖବର ପାଇ ଘଟନସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଝାରସୁଗୁଡା ମେଡିକାଲ ନେଇଥିବାବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ଏକ ଅପମୃତ୍ୟ ମାମଲା ରୁଜୁ ପରେ ମନୋଜ ଓ ସୁଶାନ୍ତଙ୍କ ଶବବ୍ୟବଚ୍ଛେଦ କରାଯାଇ ମୃତକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ହୋଇଥିଲା l ଆଜି ଅପରାହ୍ନରେ ମନୋଜର ଶବ ନିଜ ଗାଁକୁ ଫେରିଥିବାବେଳେ, ସୁଶାନ୍ତର ଶବ ଚିଚିଣ୍ଡା ଗ୍ରାମକୁ ପହଞ୍ଚିଥିଲା l ଖବରଟି ପ୍ରଚାରିତ ହେବାପରେ ଉଭୟ ଗାଁରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ଶେଷ ଦର୍ଶନ ସମୟରେ ନିଜ ନିଜ ପରିବାରବର୍ଗ, ବନ୍ଧୁପରିଜନ, ଗାଁବାସୀ ଉପସ୍ଥିତ ରହି ଶେଷଦର୍ଶନ କରିଥିଲେ l
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ “ମନୋଜ ଓ ସୁଶାନ୍ତ “
