ସୋନପୁର : (ସୌମିତ୍ରି ମେହେର) ବର୍ତ୍ତମାନ ଡାଇରିଆ ସଂକ୍ରମଣ ଅବସ୍ଥାକୁ ଗୁରୁତର ଭାବେ ଗ୍ରହଣ କରାଯାଇ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ପଦାଧିକରୀ ଯଥା ସ୍ୱାସ୍ଥ୍ୟ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଓ ମହିଳା ଶିଶୁ ବିକାଶ ପ୍ରମୁଖଙ୍କୁ ନେଇ ଡାଇରିଆର ସ୍ଥିତି ତଥା ପ୍ରତିକାର ଉପରେ ଏକ ଜିଲ୍ଲା ସ୍ଥରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଦାୟିତ୍ୱକୁ ନେଇ ସମୀକ୍ଷା କରିଥିବାବେଳେ ଜିଲ୍ଲାରେ ଜ଼ିରୋ ଡାଇରିଆ ମୃତ୍ୟୁ ଉପରେ ଗୁରୁତ୍ୱାରୋପ କରି ସମସ୍ତ ବିଭାଗ ମିଳିତ ଭାବେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ସ୍ୱାସ୍ଥ୍ୟ ବିଭାଗକୁ ଓ.ଆର.ଏସ ତଥା ଜିଙ୍କ ବଣ୍ଟନ ତ୍ୱରାନ୍ୱିତ ସହିତ ଆର.ଡବ୍ଲୁ.ଏସ.ଏସ. ଯନ୍ତ୍ରୀଙ୍କୁ ସ୍ଵଛ ପିଇବାପାଣି ଯୋଗାଣର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ, ବିଡ଼ିଓ , ଡି ଏସ ଡବ୍ଲୁ ଓ , ଡି ଡବ୍ଲୁ ଓ , ଆର ଡବ୍ଲୁ ଏସ ଏସ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମିଳିତ ଭାବେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରର ସ୍ୱଚ୍ଛତା ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଦୀପ କୁମାର ଗୁରୁ ଡାଇରିଆର ଚିକିତ୍ସା ପାଇଁ ଔଷଧ, ଓ ଆର ଏସ ଓ ଜିଙ୍କ ସ୍ୱାସ୍ଥ୍ୟ ବିଭାଗ ପାଖରେ ମହଜୁଦ ଥିବା ବୈଠକରେ ଜଣାଇବା ସହ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାଇରିଆର ଆବଶ୍ୟକ ନିରାକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ ଆଶା ମାନଙ୍କ ଦ୍ୱାରା ଓ ଆର ଏସ ଓ ଜିଙ୍କ ବଣ୍ଟନ ୧୬ ଜୁନରୁ ଆରମ୍ଭ ହୋଇଥିବାବେଳେ ଜୁଲାଇ ୩୧ ପର୍ଯ୍ୟନ୍ତ ଘରକୁ ଘର ଯାଇ ପ୍ରଦାନ କରୁଥିବା ବୈଠକରେ ଜଣାଇଥିଲେ l ଏହା ସହିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ/ଏ.ଏନ.ଏମ ମାନଙ୍କ ଦ୍ୱାରା ଏହି ବଣ୍ଟନ କାର୍ଯ୍ୟର ତଦାରଖ ସହିତ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଆରଟି ପ୍ରସ୍ତୁତ ଥିବା ସୂଚନା ପ୍ରଦାନ କରିଥିଲେ l ଏହାପରେ ଜିଲ୍ଲାର ଡେଙ୍ଗୁ ଓ ମ୍ୟାଲେରିଆ ସ୍ଥିତିର ସମୀକ୍ଷା କରି ରେସିଡେନ୍ସିଆଲ ସ୍କୁଲ ପିଲା ମାନଙ୍କର ମ୍ୟାଲେରିଆ ପରୀକ୍ଷା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ l ଏହା ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲେରିଆ ଔଷଧ ସିଞ୍ଚନ ପାଇଁ ଜନ ସହଯୋଗ ଆବଶ୍ୟକ କଥା ଜଣାଇଥିଲେ l ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଆର.ଏମ.ଏନ.ସି.ଏଚ , ଟୀକାକରଣ , ଏନକ୍ୱାସ ଉପରେ ମଧ୍ୟ ବିଭାଗୀୟ ସମୀକ୍ଷା କରାଯାଇଥିଲା। ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର , ସମସ୍ତ ବିଡ଼ିଓ , ତଥା ବିଭିନ୍ନ ବିଭାଗର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୁବର୍ଣ୍ଣପୁର ଜିଲ୍ଲା ଡାଇରିଆ ସ୍ଥିତି ର ସମୀକ୍ଷା କଲେ ଜିଲ୍ଲାପାଳ
