Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମାନରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ

ନୂଆଦିଲ୍ଲୀ: ସ୍ପେନର ମାଜୋର୍କାରୁ ମାଞ୍ଚେଷ୍ଟର ଯାଉଥିବା ରିଆନଏୟାର ବିମାନଟି ଉଡାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଅଗ୍ନିକାଣ୍ଡର ଖବର ପ୍ରଚାର ହୋଇଥିଲା। ଯାହା ପରେ ସେଠାରେ ଭୟର ବାତାବରଣ ଖେଳି ଯାଇଥିଲା। ଏପରିକି ବିମାନକୁ ରନୱେରେ ହିଁ ଅଟକାଇ ଦିଆଯାଇଥିଲା।

ତେବେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜରୁରୀକାଳୀନ ଡୋର ଖୋଲି ଦିଆଯାଇଥିବା ସତ୍ୱେ ମଧ୍ୟ ଯାତ୍ରୀ ମାନେ ଭୟଭୀତ ହୋଇ ବିମାନରେ ଚଢ଼ି ପ୍ଲେନ ୱିଙ୍ଗରୁ ଡେଇଁବା ଆରମ୍ଭ କରିଦେଇଥିଲେ। ଯାହାଫଳରେ ୧୮ ଜଣ ଯାତ୍ରୀଙ୍କୁ ସାମାନ୍ୟ କ୍ଷତ ପହଞ୍ଚିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ୪ଟି ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ପୋଲିସ ସମେତ ଜରୁରୀକାଳୀନ ସେବା ତୁରନ୍ତ ରନୱେରେ ପହଞ୍ଚିଥିଲା। ତେବେ ଏହି  ଘଟଣାଟି ସ୍ପେନର ମାଜୋର୍କାର ପାଲମା ବିମାନବନ୍ଦରରେ ହୋଇଥିବା ଜଣା ପଡ଼ିଛି।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ରିଆନଏୟାର ବିମାନରେ ଫାୟାର ଆଲାରାମ୍ ଲାଇଟ୍ ଦେଖାଯାଇଥିଲା ଓ ତୁରନ୍ତ ନିଆଁ ଲାଗିବା ଖବର ବ୍ୟାପି ଯାଇଥିଲା ଯାହା ଫଳରେ ସେଠାରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ଶନିବାର ରାତି ୧୨:୩୬ ରେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିବା ନେଇ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ତେବେ ଏହି ଘଟଣା ମଧ୍ୟରେ କ୍ୟାବିନ କ୍ରୁ ଯାତ୍ରୀମାନଙ୍କ ସହ ଖରାପ ବ୍ୟବହାର କରିବା ସହ ସେମାନଙ୍କୁ ସଠିକ୍ ସୂଚନା ଦେଇନଥିବା ଯାତ୍ରୀ ମାନେ ଅଭିଯୋଗ କରିଥିଲେ।

ଅପରପକ୍ଷରେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିବା ନେଇ ଅଧିକାରୀ ମାନେ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ