Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଲହାପୁରୀ ଚପଲ ପାଇଁ ବିବାଦରେ ‘ପ୍ରାଡା’

ନୂଆଦିଲ୍ଲୀ: ପ୍ରସିଦ୍ଧ ଇଟାଲୀୟ ଲଗଜରୀ ଫ୍ୟାଶନ୍ ବ୍ରାଣ୍ଡ ‘ପ୍ରାଡା’ କୋଲହାପୁରୀ ଚପଲର ଡିଜାଇନକୁ ନକଲ କରିବା ଅଭିଯୋଗରେ ମାମଲା ବର୍ତ୍ତମାନ୍ କୋର୍ଟରେ ପହଞ୍ଚିଛି। ପ୍ରାଡା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ସହ  କୋଲହାପୁରୀ ଚପଲ ତିଆରି କରୁଥିବା କାରିଗରମାନଙ୍କୁ କ୍ଷତିପୂରଣ ଦାବିରେ ବମ୍ୱେ ହାଇକୋର୍ଟରେ ଅଭିଯୋଗ ହୋଇଛି। ଏହି ଶୁଣାଣିରେ କୋଲହାପୁରୀ ଚପଲର ସହ-ବ୍ରାଣ୍ଡିଂ, କ୍ଷମତା ନିର୍ମାଣ ଏବଂ ରାଜସ୍ୱ ବଣ୍ଟନ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି ଯାହା ଦ୍ୱାରା କାରିଗରମାନଙ୍କୁ ସେମାନଙ୍କର ଦକ୍ଷତା ପାଇଁ ପରିଚୟ ମିଳିବା ସହ ସେମାନେ ଉପଯୁକ୍ତ ଲାଭ ମଧ୍ୟ ପାଇପାରିବେ।

କେବଳ ଏତିକି ନୁହେଁ କୋଲହାପୁରୀ ଚପଲ ଭଳି GI ଉତ୍ପାଦ ନିର୍ମାତାଙ୍କ ପାଇଁ ସଂଗଠନ ଗଠନ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଯେଉଁ ମାନେ GI ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନୀତି ପ୍ରସ୍ତୁତ କରିବାକୁ ମଧ୍ୟ ଏହି ଶୁଣାଣିରେ କୁହାଯାଇଛି। ଏହି ହାତ ତିଆରି କୋଲହାପୁରୀ ଚମଡା ଚପଲକୁ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ କମ୍ପାନୀ ପ୍ରାଡା ୧.୨୫ ଲକ୍ଷ ଟଙ୍କାରେ ବଜାରରେ ବିକ୍ରି କରୁଥିବା ଅଭିଯୋଗରେ ଏହି ବିବାଦ ବୃଦ୍ଧି ପାଇଥିଲା।

ତେବେ ଏହି କମ୍ପାନୀ ନିଜର ସ୍ପ୍ରିଂ/ସମର ୨୦୨୬ ଶୋ’ରେ ଏହି କୋଲହାପୁରୀ ଚପଲର ନକଲ କରି ପ୍ରଦର୍ଶିତ କରିଥିଲା।ତେବେ ପ୍ରାଡା ଏହି ଭାରତୀୟ ଏବଂ ଅତ୍ୟନ୍ତ ପାରମ୍ପରିକ ଜିନିଷକୁ ବ୍ୟବହାର କରି ମଧ୍ୟ ଏହାର କାରିଗର କିମ୍ବା ସେହି ସଂସ୍କୃତିକୁ କୌଣସି କ୍ରେଡିଟ୍ ଦେଇନଥିବାରୁ କାରିଗରମାନେ ଅତ୍ୟନ୍ତ ଦୁଃଖିତ ଏବଂ ନିରାଶ ଥିବା ଜଣାପଡ଼ିଛି। ଏହାକୁ ନେଇ ବିବାଦ ବଢିବା ପରେ ପ୍ରାଡା ଏହା ସ୍ବୀକାର କରିଥିଲା ଯେ ଏହି ଡିଜାଇନ୍ ଭାରତୀୟ ହାତ ତିଆରି ଚପଲ ଦ୍ୱାରା ‘ଅନୁପ୍ରାଣିତ’ ଅଟେ।

ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ୍ ଏଗ୍ରିକଲଚର୍’ର ଏକ ଚିଠିର ଜବାବ ଦେବାକୁ ଯାଇ ପ୍ରାଡାର କର୍ପୋରେଟ୍ ଗୋଷ୍ଠୀ ମୁଖ୍ୟ ଲୋରେଞ୍ଜୋ ବର୍ଟେଲି କହିଛନ୍ତି ଯେ ଏହି ଭଳି ଡିଜାଇନ୍ ର ଅଭ୍ୟାସ, ସାଂସ୍କୃତିକ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଭାରତୀୟ କାରିଗର ସମ୍ପ୍ରଦାୟ ସହିତ ଅର୍ଥପୂର୍ଣ୍ଣ ଆଦାନପ୍ରଦାନ ପାଇଁ ଆଲୋଚନା କରିବାକୁ ପ୍ରତିବଦ୍ଧ ଅଟୁ। ଯେପରି ଆମେ ପୂର୍ବରୁ ଅନ୍ୟ ଉତ୍ପାଦଗୁଡ଼ିକରେ କରି ଆସୁଅଛୁ। ଯାହା ଦ୍ୱାରା ସେମାନଙ୍କ ହସ୍ତଶିଳ୍ପର ଉପଯୁକ୍ତ ମୂଲ୍ୟ ମିଳିବା ସହ ଏହା ସବୁଆଡେ ପରିଚିତ ମଧ୍ୟ ହୋଇପାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ