ମହିଳାଙ୍କ ଭୋଟର କାର୍ଡରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଫଟୋ


ପାଟଣା: ମାଧେପୁରା ପୌର ପରିଷଦ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି। ସେଠାକାର ଜୟପାଲପଟ୍ଟି ଅଞ୍ଚଳର ଜଣେ ମହିଳାଙ୍କ ଭୋଟର ପରିଚୟପତ୍ରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫୋଟୋକୁ ଛାପା ଯାଇଥିବା ସୂଚନା ମିଳିଛି।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବର୍ତ୍ତମାନ୍  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିପାଇଁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାନ୍ୟା କୁମାରୀ ପୂର୍ବତନ ବିଏଲଓ ପାର୍ବତୀ କୁମାରୀଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରିଛନ୍ତି। ଯେଉଁଥିରେ ଅଭିଯୋଗ ହୋଇଛି ଯେ ପୂର୍ବତନ ବିଏଲଓ ଭୋଟରଙ୍କ ନାମ ଅନୁସାରେ ଫଟୋ ନ ଯୋଡି ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଯୋଡି ଦେଇଥିଲେ ଯାହାକି ଲୋକ ପ୍ରତିନିଧିତ୍ୱ ଆଇନ ଧାରା ୧୯୫୦ ର ଉଲ୍ଲଂଘନ ଅଟେ। ଏହାକୁ ନେଇ ପୋଲିସ ଷ୍ଟେସନ୍ ପ୍ରଭାରୀ ବିମଳେନ୍ଦୁ କୁମାର କହିଛନ୍ତି ଯେ ବିଏଲଓଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ କରାଯାଇଛି।

ଗତ ୯ ଜୁଲାଇରେ ସଘନ ସଂଶୋଧନ ବିରୋଧରେ ବିହାର ବନ୍ଦ ହୋଇଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ମହିଳାଙ୍କ ସ୍ୱାମୀ ଚନ୍ଦନ କୁମାର ପୋଷ୍ଟ ମାଧ୍ୟମରେ ତାଙ୍କ ସ୍ତ୍ରୀଙ୍କ ଭୋଟର କାର୍ଡ ପାଇଥିଲେ। କାର୍ଡରେ ନାମ, ଠିକଣା ଏବଂ ଅନ୍ୟାନ୍ୟ ସମସ୍ତ ବିବରଣୀ ଠିକ୍ ଥିଲା, କିନ୍ତୁ ଫଟୋ ସ୍ଥାନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଥିଲା। ଏହାପରେ ଚନ୍ଦନ ଯେତେବେଳେ BLO ଙ୍କ ସହ ଯୋଗାଯୋଗ କରି ଏହି ମାମଲା ବିଷୟରେ ଜଣାଇଥିଲେ ତାଙ୍କୁ ଏହି ମାମଲାକୁ ଚାପି ଦେବାକୁ କୁହାଯାଇଥିଲା। ଏହାକୁ ନେଇ ଚନ୍ଦନ କହିଥିଲେ ଯେ ଯଦି କୌଣସି ସାଧାରଣ ଲୋକ ର ଫୋଟୋ ଛପା ହୋଇଥାନ୍ତା ତାହେଲେ ହୁଏତ ଏହାକୁ ଏକ ବୈଷୟିକ ତ୍ରୁଟି ବୋଲି ଜାଣିହୋଇ ଥାଆନ୍ତା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଏଥିରେ କିପରି ଯୋଡ଼ା ହେଲା ଏହା ସିଷ୍ଟମ ଉପରେ ପ୍ରଶ୍ନ ଉଠାଇବା ସହ ଏଥିରେ କୌଣସି ଗୁରୁତର ତ୍ରୁଟି ଥିବା ନେଇ ସେ କହିଛନ୍ତି। ଭବିଷ୍ୟତରେ ଏପରି ଭୁଲ ଯେପରି ନହୁଏ ସେଥିପାଇଁ ସେ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହି ଘଟଣା ରେ ଯେତେବେଳେ BLO ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ସେ ଫୋନ ଉଠାଇ ନଥିଲେ। ପରେ ଖବର ପ୍ରସାରିତ ହେବା ପରେ BLO ତାଙ୍କ ଘରକୁ ଆସି ଭୋଟର ପରିଚୟପତ୍ର ନେଇ ସଂଶୋଧନ ପାଇଁ ଫର୍ମ-୮ମଧ୍ୟ ପୂରଣ କରାଇଥିଲେ।