Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ସିଏସସି ପରିଚାଳକ ଚିନ୍ମୟ ରାଜ୍ୟ ସ୍ତରରେ ସମ୍ମାନିତ ଭିନ୍ନକ୍ଷମ ହୋଇବି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି

ଝାରସୁଗୁଡା ୧୩/୭ (ଓଡ଼ିଶା ନ୍ୟୁଜ) ଭୁବନେଶ୍ୱର କୃଷି ଭବନରେ ଠାରେ କମନ ସର୍ଭିସ୍ ସେଣ୍ଟର (ସିଏସସି) ସ୍ଥାପନର ୧୬ ତମ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଦିବସ ଶନିବାର ଦିନ ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ସିଏସସି ପରିଚାଳକ ଚିନ୍ମୟ କୁମାର ପାଣିଗ୍ରାହୀ ରାଜ୍ୟର ଦଶ ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ ସିଏସସି ପରିଚାଳକ ଭାବେ ବିବେଚିତ ହୋଇ ଓଡ଼ିଶା ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି । ଯାହା ଝାରସୁଗୁଡ଼ା ଜିଲ୍ଲା ପାଇଁ ସେ ଗୌରବ ବୃଦ୍ଧି କରିଛନ୍ତି । ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ସ୍ବାସ୍ଥ୍ୟ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଚିନ୍ମୟଙ୍କୁ ସାର୍ଟିଫିକେଟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
ସୂଚନା ଯୋଗ୍ୟ ୩୭ ବର୍ଷୀୟ ଚିନ୍ମୟ ଲଖନପୁର ନିବାସୀ ସଂକୀର୍ତ୍ତନ ପାଣିଗ୍ରାହୀ ଓ ତନୟା ପାଣିଗ୍ରାହୀଙ୍କ ଏକମାତ୍ର ପୁତ୍ର । ଅତୀତରେ ସେ ଯୁକ୍ତଦୁଇ ବିଜ୍ଞାନ ପାସ କଲା ପରେ କମ୍ପ୍ୟୁଟର ବିଜ୍ଞାନ ପଢ଼ି ଲଖନପୁର ବେହେରାଗୁଡ଼ା ଛକରେ ଏକ କମ୍ପ୍ୟୁଟର ଜନ ସେବାକେନ୍ଦ୍ର ଖୋଲି ନିଜ ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ ୨୦୧୧ ମସିହା ଜାନୁୟାରୀ ୩ ତାରିଖ ବେଲପାହାଡ଼ ଶନି ମନ୍ଦିର ନିକଟରେ ଜାତୀୟ ରାଜପଥରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚିନ୍ମୟ ନିଜ ଡାହାଣ ହାତ ହରାଇ ଥିଲେ। କିନ୍ତୁ ନିୟତିର ଏହି କୃର ନିଷ୍ପତ୍ତିରେ ମଧ୍ୟ ଚିନ୍ମୟ ହାର ନମାନି ଆଗକୁ ମାଡ଼ି ଚାଲିଲେ । ତାଙ୍କ କମ୍ପ୍ୟୁଟର କେନ୍ଦ୍ରକୁ ସରକାରଙ୍କ ଦ୍ଵାରା କମନ୍ ସର୍ଭିସ୍ ସେଣ୍ଟର ଭାବେ ଅଧିକୃତ କରାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ପାଇଁ ଲୋକଙ୍କ ଆବେଦନ,ବିଭିନ୍ନ ପ୍ରକାରର ପ୍ରମାଣପତ୍ର ତଥା ଛାତ୍ରଛାତ୍ରୀଙ୍କ ସ୍କୁଲ କଲେଜରେ ନାମଲେଖା ପାଇଁ ଆବେଦନ ଆଦି ଅନଲାଇନ ମାଧ୍ୟମରେ ନିଷ୍ଠାପର ଭାବେ ସେବା ଦେଇ ସମାଜରେ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ସେଥିପାଇଁ ସେ ବହୁବାର ସରକାରୀ ସ୍ତରରେ ମଧ୍ୟ ପ୍ରମାଣ ପତ୍ର ପାଇଥିବା ବେଳେ ବିଗତ ୨୦୧୮ ମସିହା ଜୁନ ୨୨ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ୧୦୦ ଜଣଙ୍କ ମଧ୍ୟରୁ ସେ ଶ୍ରେଷ୍ଠ ସିଏସସି ପରିଚାଳକ ଭାବେ ମର୍ଯ୍ୟାଦା ଜନକ ସ୍କଚ୍ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ।
ଭଗବାନଙ୍କ କୃପାରୁ ୨୦୨୨ ମସିହା ଡିସେମ୍ବର ୨୨ ତାରିଖରେ ଚିନ୍ମୟଙ୍କ ବାହାଘର ସମ୍ପନ୍ନ ହୋଇଥିଲେ ମଧ୍ୟ ସଂଯୋଗ କ୍ରମେ ତାଙ୍କ ପତ୍ନୀ ମଧ୍ୟ ଜଣେ ଭିନ୍ନକ୍ଷମ । ଏଭଳି ସ୍ଥିତିରେ ଲଖନପୁର ସିଏସସି ପରିଚାଳକ ଚିନ୍ମୟଙ୍କ ନିଷ୍ଠାପର ସେବାକୁ ରାଜ୍ୟ ସରକାରଙ୍କ ସୀକୃତି ନିଶ୍ଚିତ ଭାବରେ ତାଙ୍କୁ ଉତ୍ସାହିତ କରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ତେବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର ନ ମାନି ସମାଜକୁ ପ୍ରେରଣା ପ୍ରଦାନ କରିଥିବା ଲଖନପୁର ଗାଁର ଏହି ଭିନ୍ନକ୍ଷମ ଦମ୍ପତିଙ୍କୁ ଭିନ୍ନକ୍ଷମ ଭତ୍ତା ସହ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଗଲେ ଚିନ୍ମୟଙ୍କ କର୍ମନିଷ୍ଠା ପ୍ରତି ଉଚିତ ସମ୍ମାନ ହେବ ବୋଲି ଲଖନପୁରବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ