ବୀରମହାରାଜାପୁର : ବୀରମହାରାଜାପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିଂମା ଗ୍ରାମରେ ଦେଉଛି ଜଳ ଯନ୍ତ୍ରଣା । ବୁନ୍ଦାଏ ପାନୀୟ ଜଳ ପାଇଁ ହଟହଟା ହେଉଛନ୍ତି ଗ୍ରାମବାସୀ । ଆଜିକୁ ପ୍ରାୟ ୪ ବର୍ଷ ହେଲା ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି , ମାତ୍ର ସରିବାର ନା ନେଉନି । ସକାଳ ହେଲେ ପାନୀୟ ଜଳ ପାଇଁ ଲୋକ ସଙ୍ଘର୍ଷ କରୁଛନ୍ତି । ପାନୀୟ ଜଳ ପାଇଁ ପୋଡଶୀ ଗ୍ରାମ ଉପରେ ଦୀର୍ଘବର୍ଷ ହେଲା ନିର୍ଭର କରି ଚଳି ଆସୁଥିଲେ । ହେଲେ ତାହା ବି ଫେଲ ମାରିଛି । ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅନ୍ୟତମ ବୃହତ ଗ୍ରାମ ହିଙ୍ଗମାରେ ଏଭଳି ପାନୀୟ ଜଳ ସମସ୍ୟା ଦେଖାଯାଇଛି । ସୂଚନା ଅନୁଯାୟୀ ହିଙ୍ଗମା ଗ୍ରାମକୁ ପଡୋଶୀ କୁଲିହାକାନୀ ଗ୍ରାମରୁ ପାଇପ ଯୋଗେ ପାଣି ଆସୁଥିଲା । ମାତ୍ର ଗତ କିଛି ଦିନ ହେଲା ସ୍ଥାନୀୟ ଏକ କେନାଲ କାମ ହେଉଥିବା ବେଳେ ପାଣି ପାଇପକୁ ବିଛିନ୍ନ କରି ଦିଆଯାଇଛି । ଫଳରେ ପାନୀୟ ଜଳ ପାଇଁ ରହିଥିବା ଏକ ମାତ୍ର ମାଧ୍ୟମ ଫେଲ ମାରିଛି । ଅନ୍ୟପଟେ ଗ୍ରାମରେ ଥିବା ଗୋଟିଏ କି ଦୁଇଟି ନଳକୂପକୁ ଛାଡିଦେଲେ ଅନ୍ୟ ସମସ୍ତ ନଳକୂପ ବ୍ୟବହାର ଅନୁପଯୋଗି ହୋଇପଡିଛି । ୫ ଟି ୱାର୍ଡକୁ ନେଇ ଗଠନ ହୋଇଥିବା ଏହି ଗ୍ରାମରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଉକ୍ତ ନଳକୂପରୁ ଆବଶ୍ୟକ ମୁତାବକ ପାନୀୟ ଜଳ ସଙ୍ଗ୍ରହ କରିବାରେ ସମସ୍ୟା ଦେଖାଯାଉଛି । ଏଥିସହ ଆଜିକୁ ପ୍ରାୟ ୪ ବର୍ଷ ହେଲା ହିଙ୍ଗମା ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଥିଲେ ମଧ୍ୟ ତାହା ସରିବାର ନା ନେଉନି । ସେପଟେ ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ନିର୍ମାଣଧିନ ପାନୀୟ ଜଳ ପ୍ରକଳ୍ପର ସୂଚନା ଫଳକ ଆଜି ଯାଏଁ ଲାଗିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଆବଶ୍ୟକ ମୁତାବକ ପାନୀୟ ଜଳ ପାଇବାରୁ ଗ୍ରାମବାସୀ ବଂଚିତ ହେଉଛନ୍ତି । ଏହାର ସ୍ଥାୟି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଗୁହାରୀ ଜଣାଇଲେ ସୁଦ୍ଧା କୌଣସି କାର୍ଯ୍ୟକାରୀ ନହେବା ପରିତାପର ବିଷୟ ପାଲଟିଛି । ଏନେଇ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ସାଧାରଣରେ ଦାବି ହେଉଛି ।
ହିଂମା ରେ ଜଳ ଯନ୍ତ୍ରଣା
