କଠୋର ପରିଶ୍ରମ କଲେ ସଫଳତା ଆପେଆପେ ଆସେ


ବୀରମହାରାଜପୁର : ( ସୌମିତ୍ରି ମେହେର) ଛାତ୍ର ଜୀବନରେ ବହୁତ ପରିଶ୍ରମ କରିବାର ଆବଶ୍ୟକତା ରହିଛି । କଠୋର ପରିଶ୍ରମ ସଫଳତାର ମହାମନ୍ତ୍ର । ଯେଉଁ ଛାତ୍ରମାନେ ଯେତିକି ପରିଶ୍ରମ କରିବେ ସେମାନେ ସେତିକି ଆଗକୁ ଯିବେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଦେହପାଇଁ ଏବଂ ଦେଶପାଇଁ ଏକ ଘଣ୍ଟା ଲେଖାଏ ବିନିଯୋଗ କରିବାର ଆବଶ୍ୟକତା ରହିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବରେ ଅତିଥି ଏପରି ମତ ଦେଇଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ , ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶିବ କୁମାର ପୁରୋହିତ, ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ବିଜୟ ପଧାନ, ଓଡ଼ିଆ ଅଧ୍ୟାପିକା ଜାମିନୀ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ନୀତି, ନିୟମ, ସିଏଚଏସଇ ସିଲାବସ , ଇ-ବୁକ୍ , ରାଗିଙ୍ଗ୍, ଆତ୍ମସୁରକ୍ଷା , ଆଇସିସି ସମ୍ପର୍କରେ ଅବଗତ କରାଯାଇଥିଲା । ଇତିହାସ ଅଧ୍ୟାପିକା ଡ. ବନ୍ଦିତା ବିଶ୍ୱାଳ ସଭା ପରିଚାଳନା କରିଥିବା ବେଳେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସୁପ୍ରଭା ନନ୍ଦ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦିବାକର ଭୋଇ , ଶ୍ରୀରାମ ଦେହୁରୀ , କଳାକାହ୍ନୁ ପଧାନ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ +୨ ପ୍ରଥମ ବର୍ଷର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।