ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା


ଝାରସୁଗୁଡା ୨୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଉଦେ ବେହେରା ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ଭୋଇ ଏବଂ ଅକ୍ଷୟ କୁମାର ଭୁଏଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗାଦାନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷାବିଦ ଜଗଦୀଶ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀତିଶ୍ବର ପୂଜାରୀ, ନିତ୍ୟାନନ୍ଦ ଖମାରୀ, ବଳରାମ ଭୋଇ, ସେବକରାମ ଭୋଇ, ଗିରିଶ ବିଶ୍ଵାଳ, ଅକ୍ଷୟ ପଧାନ ଏବଂ ସତ୍ୟବାଦୀ ମେହେର, ସିଆରସିସି ବିବେକାନନ୍ଦ ବାର୍ଳା, ସରପଞ୍ଚ ତନୟା ଚାନ୍ଦ, ଏସଏମସି କମିଟି ସଭାପତି ଖୁସିରାମ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ପ୍ରାରମ୍ଭରେ ନିମନ୍ତ୍ରୀତ ଅତିଥିଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ପରେ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହା ପରେ ନିମନ୍ତ୍ରୀତ ଅତିଥି, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଅବସର ଗ୍ରହଣ କରିଥିବା ଶିକ୍ଷକ ଦ୍ୱୟଙ୍କୁ ଫୁଲ ଚନ୍ଦନ ଦେଇ ଗୁରୁ ପୂଜନ କରିବା ସହିତ ଉପଢୌକନ ଦେଇ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପ୍ରଧାନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ବିଦ୍ୟାଳୟର “ମୋ ସ୍କୁଲ ଅଭିଯାନ” ପାଣ୍ଠିକୁ ୧ ଲକ୍ଷ ଟଙ୍କା ଚେକ ଆକାରରେ ପ୍ରଦାନ କରିଥିଲେ ।
ହିନ୍ଦୀ ଶିକ୍ଷକ ସୁରେଶ କୁମାର ନନ୍ଦେ ମଞ୍ଚ ସଞ୍ଚାଳନ କରିଥିବା ବେଳେ ସହକାରୀ ଶିକ୍ଷକ ଶୁଭମସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ପଲସଦା ହାଇସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।