ଝାରସୁଗୁଡା ୨୮/୦୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅଧିନସ୍ଥ ପତ୍ରାପାଲି ଛକ – ହଲକାଢିପା ରାସ୍ତାର ଅପାର କାରଖାନା ନିକଟରେ ଗଛକୁ ଧକ୍କା ମାରି ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛପଟେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବାଇକ ଚାଳକ ଜଣକ ରେଙ୍ଗାଲପାଲି ବାଦୀମାଲ ଗାଁର ଭଗବାନ ବାଗ (୫୦) ଏବଂ ଅନ୍ୟ ଗୁରୁତର ଆହତ ଜଣକ ସେହି ଗ୍ରାମର ଚିଡ଼ିଆ କିସାନ(୫୫) । ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । କିନ୍ତୁ ଭଗବାନ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କୋଲାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଭଗବାନ ଙ୍କ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ଜଣା ପଡ଼ିଛି ।
ସୂଚନା ମତେ ସୋମବାର ସନ୍ଧ୍ୟାରେ ବାଦୀମାଲ ଗାଁର ଭଗବାନ ଓ ଚିଡ଼ିଆ ଓଆର-୨୩-୪୧୯୩ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ । ମାତ୍ର ପତ୍ରାପାଲି ଛକ ଅପାର କାରଖାନା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ମାରିଥିଲେ । ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି କୋଲାବିରା ଡାକ୍ତରଖାନାକୁ ନେବା ପରେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିଲେ । କୋଲାବିରା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଚାଳକ ମୃତ
