କୋଲାବିରାରେ ଜନ ଅଭିଯୋଗ ଶୁଣାଣି ଶିବିର
ଝାରସୁଗୁଡା୨୮/୦୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା କୋଲାବିରା ପଞ୍ଚାୟତ ସମିତି ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ନୂତନ ଭାବରେ ଯୋଗଦାନ କରିଥିବା ଜିଲ୍ଲାପାଳ କୁଣାଳ ମୋତିରାମ ଚହ୍ଵାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ଆଇଏଏସ୍ ପ୍ରବେଶନର ପ୍ରଜ୍ଞାନନ୍ଦ ଗିରି, ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା , ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସୂର୍ଯ୍ୟା°ଶୁ ରୁତ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶିବିରରେ ମୋଟ ୩୦ଗୋଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୭ଗୋଟି ସାମୂହିକ ଓ ୨୩ଗୋଟି ବ୍ୟକ୍ତିଗତ ରହିଥିଲା । ଶିବିରରେ ତରେଇକେଲା ସ୍ଥିତ ଆଦିବାସୀ, ହରିଜନ ବାଳିକା ହଷ୍ଟେଲରେ ପାଚେରୀ ନିର୍ମାଣ, ଲଗାଣ ବର୍ଷାରେ କିର୍ମିରା ବ୍ଲକ ବନ୍ଧପାଲି ଗ୍ରାମ ପଞ୍ଚାୟତରେ ଭାଙ୍ଗି ଯାଇଥିବା ଦୁଆନମୁଡା ପୋଖରୀ ହିଡ଼ ବାନ୍ଧିବା ତଥା ପୋଖରୀ ତଳପାର୍ଶ୍ଵରେ ଚାଷ ଜମିରେ ମାଟିପୋତି ହୋଇ ଯାଇଥିବା ଜନିତ କ୍ଷତି ପୂରଣ ପ୍ରଦାନ , କୁଣ୍ଡୁରୁସିଂହା ମୌଜାର ଖେଳ ପଡ଼ିଆ ଓ ଅନ୍ୟ ସରକାରୀ ଜମି ଲୋକ ମାନଙ୍କ ଦ୍ବାରା ନିଜ ଅକ୍ତିଆରରେ ରଖା ଯାଇଥିବା ହେତୁ ଗ୍ରାମବାସୀ ସମ୍ମୁଖୀନ ହେଉଥିବା ଅସୁବିଧା ଦୂର ସକାଶେ ଜମି ଚିହ୍ନଟ ପାଇଁ ଆବେଦନ, କେଲେଣ୍ଡାମାଲ ଓ କେଲଣ୍ଡା ଗ୍ରାମରେ ରାସ୍ତା ନିର୍ମାଣରେ ବେଦାନ୍ତ କାରଖାନା ନିର୍ଗତ ପାଉଁସଗୁଣ୍ଡ ବର୍ଷା ପାଣିରେ ଧୋଇଯିବା ଏବଂ ଏହା ଦ୍ୱାରା ରୁଆ ଧାନ ପୋତି ହୋଇ ଯାଇଥିବା, ମାଟି ଟାଣ ହୋଇ ଚାଷ ପାଇଁ ଅନୁପଯୁକ୍ତ ହେବାର ତଦନ୍ତ, ଚାଷୀ ମାନଙ୍କୁ କ୍ଷତି ପୂରଣ ତଥା ଚାଷ ଜମିରୁ ପାଉଁଶ ଗୁଣ୍ଡ ବାହାର କରାଯିବା ପାଇଁ ଆବେଦନ, ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ କୋଲାବିରା ଉଠା ଜଳସେଚନ ପ୍ରକଳ୍ପ-୪ର ମରାମତି ପୂର୍ବକ ପୁନଃ କାର୍ଯ୍ୟକ୍ଷମ କରାଯିବା, ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପାଇଁ ଆବେଦନ ଏବଂ ଆଟ କିସମ ଜମିରେ ଚାଷ ହୋଇଥିବା ଧାନ ବିକ୍ରୟ ସକାଶେ ପଞ୍ଜୀକରଣ ପାଇଁ ଅନୁମତି ପ୍ରଦାନ ସମ୍ପର୍କିତ ସାମୂହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରା ଯାଇଥିଲା। ସେହିପରି ଫୋଡଙ୍ଗାଡ଼ିହି ପୋଖରାସାଲେ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ବ୍ୟକ୍ତିଗତ ଜମି ହସ୍ତାନ୍ତରଣ ଓ ଡିମାରକେସନ ପାଇଁ ଆବେଦନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା, ଭୂମିହୀନଙ୍କୁ ଚାରି ଡିସମିଲ ଜମି ଯୋଗାଇବା,ବିଦ୍ୟୁତ ସଂଯୋଗ ହୋଇଥିବା ସ୍ଥଳେ ମିଟର ନଲାଗିବା, ଅଶୀ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବା, ଅନ୍ତଦୋୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା , ଭୂମିହୀନଙ୍କୁ ଘରଡ଼ିହ ପାଇଁ ଜାଗା ପ୍ରଦାନ ଓ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଆବେଦନ ସଂକ୍ରାନ୍ତୀୟ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇ ତର୍ଜମା ପୂର୍ବକ ଅଭିଯୋଗ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶିବିରରେ ଜିଲ୍ଲାପାଳ ଶ୍ରୀ ଚହ୍ବାନ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସହଯୋଗ କାମନା କରିବା ସହିତ କାର୍ଯ୍ୟକ୍ଷେତ୍ରରେ ସମୟାନୁବର୍ତ୍ତି ହେବା, କାର୍ଯ୍ୟାଳୟ ତଥା କାର୍ଯ୍ୟାଳୟ ପରିସର ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଓ ପ୍ଲାଷ୍ଟିକର ବ୍ୟବହାର ହ୍ରାସ ପାଇଁ ପରାମର୍ଶ ଦେଇଥିଲେ। ଅଭିଯୋଗ ଶୁଣାଣି ଦିନ ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ବ୍ଲକରେ ଥିବା ନିଜ ନିଜ କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଦର୍ଶନ ସହ ହିତାଧିକାରୀ ମାନଙ୍କ ସହ ଆଲୋଚନା କରି ତତ୍ ସମ୍ପର୍କିତ ବିବରଣୀ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କୋଲାବିରା ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର
