Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ୪ ବର୍ଷ ବିତିଲା ତଥାପି ସମ୍ପୂର୍ଣ୍ଣ ହେଲାନି ମିଶନ ଶକ୍ତି ଗୃହ କାର୍ଯ୍ୟ

ଝାରସୁଗୁଡା ୧/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କତରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଖାଡିହି ଗାଁର ନିର୍ମାଣଧୀନ ମିଶନ ଶକ୍ତି ଗୃହ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଅର୍ଦ୍ଧ ନିର୍ମିତ ଅବହେଳିତ ଅବସ୍ଥାରେ ପଡି ରହିଛି । ଯାହା ଫଳରେ ଉକ୍ତ ଗୃହର ଚାରିପଟେ ବିଭିନ୍ନ ପ୍ରକାର ଗଛଲତା ଉଠି ଭୂତ କୋଠି ସଦୃଶ ହେଲାଣି । ଏ ସମ୍ପର୍କରେ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନଥିବା ସ୍ଥାନୀୟ ମହିଳା ସଂଗଠନ ର ସଦସ୍ୟା ମାନେ ଅଭିଯୋଗ କରୁଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ କତରବଗା ପଞ୍ଚାୟତ ସୁଖାଡିହି ଗ୍ରାମରେ ଏକ ମହିଳା ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ୨୦୨୧/୨୨ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ୨୦ ଲକ୍ଷ ୪୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଲଖନପୁର ପଞ୍ଚାୟତ ସମିତି ପକ୍ଷରୁ ଟେଣ୍ଡର କରାଯାଇ ଜଣେ ଠିକାଦାରଙ୍କୁ ନିଯୁକ୍ତି ପ୍ରଦାନ କରି ଉକ୍ତ ଗୃହର ଅଧିକାଂଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ କବାଟ,ଝରକା,ଶୌଚାଳୟ, ଗୃହ ଭିତର ସିମେଣ୍ଟ ପ୍ଲାଷ୍ଟର ଆଦି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଉକ୍ତ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଆଜକୁ ଦୀର୍ଘ ୪ ବର୍ଷରୁ ଅଧିକ ସମୟ ବିତିବାକୁ ବସିଥିଲା ବେଳେ ଏ ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ । ଯାହା ଫଳରେ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ ଗାଁରେ ଆଉ କୌଣସି ଗୃହ ନ ଥିବା ଯୋଗୁଁ ଉକ୍ତ ଅର୍ଦ୍ଧ ନିର୍ମିତ ଗୃହକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ ସ୍ତରୀୟ ଅଧିକାରୀ ତଥା ଗୃହ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ମହିଳା ମାନେ ଅଭିଯୋଗ କରୁଛନ୍ତି । ତେଣୁ ଦୀର୍ଘ ୪ ବର୍ଷ ଧରି ଅସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ମିଶନ ଶକ୍ତି ଗୃହର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ମହିଳା ସଂଗଠନର ସଦସ୍ୟା ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ