ଶ୍ରାବଣ ମାସର ଶେଷ ସୋମବାର କୋଇଲିଘୋଘର ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼


ଝାରସୁଗୁଡା ୫/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସ୍ଥିତ ଐତିହାସିକ ଶୈବପୀଠ କୋଇଲି ଘୋଘରରେ ଶ୍ରାବଣ ମାସର ଶେଷ ସୋମବାର ଯୋଗୁଁ ବୋଲବମ ଓ ଶୈବ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଲିଥିଲା । ସୋମବାର ଭୋର ୪ ଟାରୁ ଚିରସ୍ରୋତା ଅହିଡ଼ା ନାଳାରେ ବୁଡ଼ ପକାଇ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶାନ୍ତି ଶୃଙ୍ଖଳା ସହ ଫଳ ଫୁଳପତ୍ର ନୈବେଦ୍ୟ ନାରିକେଳ ଅର୍ପଣ କରି ଧୂପ ଦେଇ ପୂଜାର୍ଚ୍ଚନା ପରେ ମହେଶ୍ବର ନାଥଙ୍କୁ ଜଳାଭିଷେକ କରିଥିଲେ । ଚଳିତ ବର୍ଷ ଝାରସୁଗୁଡ଼ା ଜିଲ୍ଲା ସମେତ ସୁନ୍ଦରଗଡ, ବରଗଡ଼, ସମ୍ବଲପୁର ଏବଂ ପଡୋଶୀ ଛତିଶଗଡ଼ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦ ହଜାର ରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । କୋଇଲି ଘୋଘର ବିକାଶ ପରିଷଦ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଭକ୍ତ ମାନଙ୍କୁ ଖେଚୁଡ଼ି ଓ ଅନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା । ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୋଲିସ ଟିମ ମୁତୟନ କରା ଯାଇଥିଲା । ସେହିପରି ସିଂହାରପୁର ଝାଡେଶ୍ବର ମନ୍ଦିର ଏବଂ ସୀମାନ୍ତ ସେମେଲିଆ ସପ୍ନେଶ୍ବର ବାବାଙ୍କ ପୀଠରେ ମଧ୍ୟ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଜଳାଭିଷେକ କରିଥିଲେ ।