ଉଲୁଣ୍ଡା : (ସୌମିତ୍ରି ମେହେର) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇରେ ଆଜି ପବିତ୍ର ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଭକ୍ତ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏ ଅବସରରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ତଥା ପଡୋଶୀ ରାଜ୍ୟରୁ ମହାବାହୁଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ସମାଗମ ହୋଇଥିଲେ । ଏତତ୍ ଭିନ୍ନ ସବୁଜ ସୁନ୍ଦର ଜଙ୍ଗଲ ପାହାଡ଼ ସହିତ ଦୀର୍ଘ 144 ବର୍ଷ ପର୍ଯ୍ୟନ୍ତ ଠାକୁରଙ୍କ ପାତାଳୀ ହୋଇଥିବା ଶ୍ରୀ ଜଗନ୍ନାଥ ଗୁମ୍ଫା ଏବେ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି । ଆଜି ଦ୍ଵାର ଫିଟା, ମଙ୍ଗଳ ଆଳତି, ଠାକୁରଙ୍କ ପୂଜା ନୀତି ପରେ ଶ୍ରୀ ବଳଦେବଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ଶ୍ରୀମଦ୍ ଭାଗବତ ମହାପୁରାଣ ଦଶମ ସ୍କନ୍ଦ ପାରାୟଣ କରାଯାଇଥିଲା । ଏଥିରେ ଗାୟକ ଭାବରେ ଗୋପାଳ ପଣ୍ଡା, ବିଜୟ କୁମାର ହୋତା, ପୂର୍ଣ୍ଣଚନ୍ଦ୍ର ପାଢୀ ପାରାୟଣ କରିଥିଲେ । ନରେନ୍ଦ୍ର ବାଘ , ଜାନକୀ ରାମ ଦେହୁରୀ , ମନୋରଞ୍ଜନ ପାଢୀ ଭଜନ ପରିବେଷଣ କରିଥିଲେ । ବାଦ୍ୟ ଯନ୍ତ୍ରରେ ଅଚ୍ୟୁତାନନ୍ଦ କୁରୁକୁରିଆ , ପଞ୍ଚାନନ ମନ୍ତ୍ରା , ଚମରା ସେଠି ସହଯୋଗ କରିଥିଲେ । ମା ସୁଭଦ୍ରାଙ୍କ ତରଫରୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ଅର୍ପଣ କରାଯାଇଥିଲା । ପବିତ୍ର ଭାଇଚାରା ର ପର୍ବ ରେ ଭାଇ ପାଇଁ ଭଉଣୀମାନେ ଠାକୁରଙ୍କ ଠାରେ ମଙ୍ଗଳ ମନାସି ଥିଲେ ।
ପାତାଳୀ ଶ୍ରୀକ୍ଷେତ୍ର ରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ
