ବିନା ରିଚାର୍ଜରେ କେତେ ଦିନରେ ବନ୍ଦ ହୋଇଯାଏ SIM Card? ଜାଣନ୍ତୁ


ଆଜିକାଲି ଅଧିକାଂଶ ମୋବାଇଲ ଉପଭୋକ୍ତା ଦୁଇଟି ସିମ କାର୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ପରେ ଦୁଇଟି ସିମ୍‌କୁ ଏକାସହିତ ରିଚାର୍ଜ କରିବା କଷ୍ଟକର ହୋଇପଡ଼ୁଛି। ଫଳରେ ଅନେକ ଲୋକ ଯେଉଁ ସିମ୍‌ରୁ ଅଧିକ କଥାବାର୍ତ୍ତା ହେଉଛନ୍ତି, କେବଳ ସେହି ସିମ୍‌କୁ ରିଚାର୍ଜ କରୁଛନ୍ତି ଏବଂ ଅନ୍ୟ ନମ୍ବରଟି ମାସମାସ ଧରି ରିଚାର୍ଜ ବିନା ଛାଡ଼ି ଦେଉଛନ୍ତି।

ଯଦି ଆପଣ ମଧ୍ୟ ଆପଣଙ୍କ ଗୋଟିଏ ନମ୍ବରକୁ ଦୀର୍ଘଦିନ ଧରି ରିଚାର୍ଜ କରୁ ନାହାନ୍ତି ତେବେ ଏହି ଭୁଲ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିପାରେ।

ପ୍ରତ୍ୟେକ ସିମ କାର୍ଡର ଏକ ନିର୍ଦ୍ଧିଷ୍ଟ ବୈଧତା ଅବଧି ଥାଏ, ଯେଉଁଥିରେ ଏହା ରିଚାର୍ଜ ବିନା ଆକ୍ଟିଭ ରହିଥାଏ। ଯଦି ଆପଣ ଦୀର୍ଘଦିନ ଧରି ଆପଣଙ୍କ ନମ୍ବରକୁ ରିଚାର୍ଜ ନ କରନ୍ତି, ତେବେ ସେହି ନମ୍ବର ବନ୍ଦ ହୋଇପାରେ ଏବଂ କମ୍ପାନୀ ତାହା ଅନ୍ୟ ଜଣେ ଗ୍ରାହକଙ୍କୁ ଆଲର୍ଟ କରିଦେଇପାରେ। ନିକଟରେ ଏପରି ଏକ ଘଟଣା ଭାରତୀୟ କ୍ରିକେଟର ରଜତ ପାଟିଦାରଙ୍କ ସହ ଘଟିଛି।

ଦୀର୍ଘଦିନ ଧରି ମୋବାଇଲ ନମ୍ବର ରିଚାର୍ଜ ନ କରିବା ଆପଣଙ୍କ ଗୋପନୀୟତା ପାଇଁ ମଧ୍ୟ ବିପଦଜନକ ହୋଇପାରେ। ଯଦି ଆପଣଙ୍କ ନମ୍ବର ବନ୍ଦ ହୋଇ ଅନ୍ୟ ଜଣଙ୍କୁ ମିଳିଯାଏ, ତେବେ ଆପଣଙ୍କ ନମ୍ବରକୁ ଆସୁଥିବା ବ୍ୟକ୍ତିଗତ କଲ ଓ ମେସେଜ ଅନ୍ୟ ଜଣଙ୍କ ପାଖରେ ପହଞ୍ଚିପାରେ, ଯାହା ଆପଣଙ୍କ ଗୋପନୀୟତାକୁ ବିପଦରେ ପକାଇପାରେ। କ୍ରିକେଟର ରଜତ ପାଟିଦାରଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଥିଲା। ତାଙ୍କ ନମ୍ବର ବନ୍ଦ ହେବା ପରେ ଅନ୍ୟ ଜଣେ ଗ୍ରାହକଙ୍କୁ ମିଳିଯାଇଥିଲା ଏବଂ ତାଙ୍କୁ ଆସୁଥିବା ସମସ୍ତ କଲ ଅନ୍ୟ ଜଣଙ୍କ ପାଖରେ ପହଞ୍ଚୁଥିଲା।

ଯଦି ଆପଣଙ୍କ ନମ୍ବର ଅନ୍ୟ ଜଣଙ୍କୁ ମିଳିଯାଏ ଏବଂ ସେ ତାହାର ଅପବ୍ୟବହାର କରେ, ତେବେ ଆପଣ ବିପଦରେ ପଡ଼ିଯାଇପାରନ୍ତି। ତେଣୁ ଆପଣଙ୍କୁ ନିୟମିତ ଭାବେ ନମ୍ବରଟି ରିଚାର୍ଜ କରି ଆକ୍ଟିଭ ରଖିବା ଉଚିତ।

TRAI ନିୟମ କ’ଣ କହୁଛି?

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (TRAI) ସିମ କାର୍ଡ ଆକ୍ଟିଭେସନ ସମ୍ପର୍କରେ କିଛି ନିୟମ ପ୍ରଣୟନ କରିଛି। ଏହି ନିୟମ ଅନୁଯାୟୀ, ଯଦି ଜଣେ ଗ୍ରାହକ ନିର୍ଦ୍ଧିଷ୍ଟ ସମୟ ପରେ ମଧ୍ୟ ନମ୍ବର ରିଚାର୍ଜ ନକରନ୍ତି, ତେବେ ସେହି ନମ୍ବର ବନ୍ଦ ହୋଇପାରେ ଏବଂ ଅନ୍ୟ ଗ୍ରାହକଙ୍କୁ ଆଲଟ ହୋଇପାରେ। ଏହି ନିୟମ ଜିଓ, ଏୟାରଟେଲ, ଭିଆଇ ଓ ବିଏସଏନଏଲ ପାଇଁ ବାଧ୍ୟତାମୂଳକ।

ଜିଓ ସିମ ବିନା ରିଚାର୍ଜ ପ୍ଲାନ୍‌ରେ ୯୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହୁଛି। କିନ୍ତୁ ପ୍ଲାନ ଶେଷ ହେବା ପରେ ଇନକମିଂ କଲ ଏକ ମାସ ବା କିଛି ଦିନ ପରେ ବନ୍ଦ ହୋଇପାରେ। ଯଦି ଆପଣ ୯୦ ଦିନ ବା ତା’ଠାରୁ ଅଧିକ ସମୟ ରିଚାର୍ଜ ନ କରନ୍ତି, ତେବେ ଆପଣଙ୍କ ନମ୍ବର ଅନ୍ୟକୁ ଆଲର୍ଟ ହୋଇପାରେ।

ଏୟାରଟେଲ ସିମ ମଧ୍ୟ ବିନା ରିଚାର୍ଜରେ ୯୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହୁଛି। ଏହା ପରେ କମ୍ପାନୀ ୧୫ ଦିନର ଗ୍ରେସ ପିରିୟଡ ଦେଇଥାଏ। ଏହି ୧୫ ଦିନ ମଧ୍ୟରେ ରିଚାର୍ଜ ନ କଲେ ନମ୍ବରଟି ବନ୍ଦ ହୋଇ ଅନ୍ୟ ଗ୍ରାହକଙ୍କୁ ଆଲଟ ହୋଇପାରେ।

ଭୋଡାଫୋନ ଆଇଡିଆ (ଭିଆଇ) ସିମ୍‌ର ନିୟମ ମଧ୍ୟ ଜିଓ ଓ ଏୟାରଟେଲ ପରି। ୯୦ ଦିନ ରିଚାର୍ଜ ନ କଲେ କମ୍ପାନୀ ନମ୍ବରଟି ବନ୍ଦ କରି ଅନ୍ୟକୁ ଆଲଟ କରିପାରେ। ଭିଆଇ ନମ୍ବରକୁ ଆକ୍ଟିଭ ରଖିବା ପାଇଁ ନ୍ୟୁନତମ ୪୯ ଟଙ୍କାର ପ୍ଲାନ କରିବାକୁ ହେବ।

ବିଏସଏନଏଲ ସିମ ବିନା ରିଚାର୍ଜରେ ପ୍ରାୟ ୧୮୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହୁଛି। ସରକାରୀ କମ୍ପାନୀ ଜିଓ, ଏୟାରଟେଲ ଓ ଭିଆଇ ତୁଳନାରେ ଅଧିକ ସୁବିଧା ପ୍ରଦାନ କରୁଛି। ଏହା ସେହି କୋଟି କୋଟି ଉପଭୋକ୍ତାଙ୍କ ପାଇଁ ବହୁ ସୁବିଧା, ଯେଉଁମାନେ ବାରମ୍ବାର ରିଚାର୍ଜର ଝଞ୍ଝଟରୁ ଦୂରେଇ ରହିବାକୁ ଚାହାନ୍ତି।