ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ପଞ୍ଚାୟତ ଅନ୍ତର୍ଗତ ବିକଳପାଲି ଗ୍ରାମରେ ହମିତ୍ ରଣା (୨୪) ନାମକ ଜଣେ ଅବିବାହିତ ଯୁବକଙ୍କ ଫାଇଲେରିଆ ଔଷଧ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବି କରି ଗ୍ରାମବାସୀ ଆଜି ଦିନ ପ୍ରାୟ ଦେଢଟା ସମୟରୁ ରାତି ୮ଟା’ ୪୫ ମିନିଟ୍ ଯାଏ ସୋନପୁର-ବୀରମହାରାଜପୁର ରାସ୍ତାର କାନପୁର ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା । ଅଭିଯୋଗ ମତେ ଗତ ୧୨ ତାରିଖରେ ଗାଁର ଅଙ୍ଗନୱାଡ଼ି ଓ ଆଶା ଦିଦି ଆସି ଫାଇଲେରିଆ ଔଷଧ ଖାଇବାକୁ ସେମାନଙ୍କ ପରିବାରକୁ କହିଥିଲେ । ନ ଖାଇଲେ ରାସନ୍ କାର୍ଡ ଓ ସୁଭଦ୍ରା ଟଙ୍କା କଟିଯିବ ବୋଲି ମଧ୍ୟ କୁଆଡେ କହିଥିଲେ । ଔଷଧ ଖାଇବା ପରେ ହମିତ୍ ଅସୁସ୍ଥ ହୋଇପଡି ଥିବାବେଳେ ତାଙ୍କୁ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ସୋନପୁର ନେବାକୁ ରେଫର୍ କରାଯାଇଥିଲା । ସୋନପୁରରୁ ପୁଣି ତାଙ୍କୁ ବୁର୍ଲାକୁ ନିଆଯାଇଥିଲା । ଆଜି ସକାଳେ ବୁର୍ଲା ଠାରେ ତାଙ୍କର ବିୟୋଗ ଘଟିଥିଲା । ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ ନ ଥିବା ଜଣାପଡ଼ିଛି । ତେବେ ଆଜି ଗାଁରେ ଶବ ପହଞ୍ଚିଲା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକେ ଓ ତାଙ୍କ ପରିବାର ବର୍ଗ ରାସ୍ତା ଉପରେ ଶବ ରଖି ଅବରୋଧ କରିଥିଲେ । ରାସ୍ତା ଅବରୋଧ ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ , ତହସିଲଦାର ସୁଚିଶ୍ମିତା ପାଣିଗ୍ରାହୀ , ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ.ହରିପ୍ରସାଦ , ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ , ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାଯାଇଛି । ଦୀର୍ଘ ୮ ଘଣ୍ଟା ଧରି ରାସ୍ତା ଅବରୋଧ ଜାରି ଥିବାବେଳେ ସମାଧାନ ପାଇଁ ପ୍ରଶାସନ ଓ ଅବରୋଧକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି । ସ୍ଥାନୀୟ ବିଧାୟକ ଇଂ. ରଘୁନାଥ ଜଗଦଲା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଆପ୍ ନେତା ପୃଥ୍ୱୀରାଜ ଜଗଦଳା, କଂଗ୍ରେସ ନେତା ପ୍ରିୟବ୍ରତ ସାହୁ ପ୍ରମୁଖ ମଧ୍ୟ ଅବରୋଧ ସ୍ଥଳକୁ ଯାଇ ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ହମିଦଙ୍କ ବଡ଼ଭାଇର ଝିଅ ମଧ୍ୟ ଫାଇଲେରିଆ ଔଷଧ ଖାଇ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବୀରମହାରାଜପୁର ଓ ପରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ବହୁ ସମୟ ବୁଝାସୁଝା କଲା ପରେ ରାତି ପ୍ରାୟ ୮ଟା’୪୫ ମିନିଟ୍ ସମୟରେ ଅବରୋଧ ହଟିଥିବାର ସୂଚନା ମିଳିଛି । ତହସିଲଦାର ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବାପାଇଁ ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି । ଏହାଛଡ଼ା ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ଓ ଅନ୍ୟମାନେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ଫାଇଲେରିଆ ଔଷଧ ଖାଇ ମୃତ୍ୟୁ ଘଟିଥିବା ଅଭିଯୋଗ କରି କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
