ପଲସଦା ମହିଳା ଗୋଷ୍ଠୀଙ୍କ ୨୯ ଲକ୍ଷଟଙ୍କା ହଡ଼ପ ଘଟଣା ଏମବିକେ ଓ ତାଙ୍କ ସହଯୋଗୀ କୋର୍ଟ ଚାଲାଣ


ଝାରସୁଗୁଡା ୧୪/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଏମବିକେ ବନିତା ନାଏକ ଓ ତାଙ୍କ ସହଯୋଗୀ ମିଶି ସ୍ଥାନୀୟ ମହିଳା ଗୋଷ୍ଠୀଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୨୯ ଲକ୍ଷ ୬୨ ହଜାର ଟଙ୍କା ଆତ୍ମସାତ କରିଥିବା ରେଙ୍ଗାଲି ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ରେଙ୍ଗାଲି ପୁଲିସ ତଦନ୍ତ କରି ଝାରୁପଡ଼ା ଗାଁର ଏମବିକେ ବନିତା ନାଏକ ଓ ତାଙ୍କ ସହଯୋଗୀ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳର ଉଦିତ ବାଗକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ଜିଏଲଏଫ ଗ୍ରୁପର ସଭାନେତ୍ରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ପଲସଦା ଗ୍ରାମ ପଞ୍ଚାୟତରେ ୬୫ ଟି ଏସଏଚଜି ଗ୍ରୁପ ସକ୍ରିୟ ଭାବେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ତେଣୁ ଉକ୍ତ ଏସଏଚଜି ଗ୍ରୁପ ମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ସହାୟତା ରାଶି ଯୋଗାଇ ଦେଇଥାନ୍ତି । ଏଥିପାଇଁ ଜିଏଲଏଫ ନାଁରେ ଭିକମପାଲି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ଦୁଇଟି ଆକାଉଣ୍ଟ ଖୋଲିଥିଲେ । ଏ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୦୨୧ ମସିହାରେ ବ୍ଲକ ତରଫରୁ ଝାରୁପଡ଼ା ଗାଁର ବନିତା ନାଏକଙ୍କୁ ଏମବିକେ ଭାବେ ନିଯୁକ୍ତି ଦିଆ ଯାଇଥିଲା । ସେ ସମୟରୁ ଜିଏଲଏଫ ଗ୍ରୁପର ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର, ପାସବହି, ଚେକ ବହି, ସିଲ,ମୋହର ଆଦି ଏମବିକେ ବନିତା ନିଜ ପାଖରେ ରଖି ସମସ୍ତ ପ୍ରକାର କାରବାର କରୁଥିଲେ ।
କିନ୍ତୁ ଗତ ଛଅ ମାସ ପୂର୍ବରୁ ଏସଏଚଜି ଗ୍ରୁପର ମହିଳା ମାନେ ସିଆଇଏଫ ଋଣ ଟଙ୍କା ଦେବାକୁ ଅନେକ ଥର କହିଥିଲେ । ମାତ୍ର ଏମବିକେ ବନିତା ସେମାନଙ୍କୁ ଋଣ ଟଙ୍କା ଦେବା ପରିବର୍ତ୍ତେ ଦିନ ଗଡ଼ାଇ କେବଳ ଠକି ଚାଲିଥିଲେ । ତାଙ୍କ ଏଭଳି ଆଚରଣ ଦେଖି ପଲସଦା ଜିଏଲଏଫ ଗ୍ରୁପର ସଭାନେତ୍ରୀ ମମତା ପଟୁଆ ଅନ୍ୟ ସଦସ୍ୟାଙ୍କ ସହ ଭିକମପାଲି ଓଜିବି ବ୍ୟାଙ୍କକୁ ଯାଇ ଉକ୍ତ ଦୁଇ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲେ । ଏଥୁରୁ ଜଣା ପଡିଥିଲା ଯେ ଏମବିକେ ବନିତା ନାଏକ ଏବଂ ତାଙ୍କ ଅନ୍ୟ ସହଯୋଗୀ ଉଦିତ ବାଗ ଗତ ୨୦୨୪ ଏପ୍ରିଲ ମାସରୁ ଜିଏଲଏଫ ଗ୍ରୁପର ଅଜାଣତରେ ଦୁଇ ଆକାଉଣ୍ଟରୁ ଚେକରେ ଜାଳ ଦସ୍ତଖତ କରି ୨୯ ଲକ୍ଷ ୬୨ ହଜାର ୬୧୦ ଟଙ୍କା ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ୟୁଜିବି ବ୍ୟାଙ୍କରୁ ବିଭିନ୍ନ ସମୟରେ ଉଠାଣ କରି ନେଇ ଯାଇଛନ୍ତି । ତେଣୁ ଏ ସମ୍ପର୍କରେ ପଲସଦା ଜିଏଲଏଫ ଗ୍ରୁପର ସଭାନେତ୍ରୀ ମମତା ପଟୁଆ ଘଟଣା ସମ୍ପର୍କରେ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଏମବିକେ ବନିତା ନାଏକ ଓ ଉଦିତ ବାଗକୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି ।