Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକା ପାଇଁ ସ୍ତ୍ରୀକୁ ରାସ୍ତାରୁ ହଟାଇଦେଲେ, ବିଜେପି ନେତା ଗିରଫ

କିଶନଗଡ଼: କିଶନଗଡ଼ରେ ବିଜେପି ନେତା ରୋହିତ ସାଇନି ନିଜ ପ୍ରେମିକା ଋତୁ ସାଇନି ସହ ମିଶି ତାଙ୍କ ପତ୍ନୀ ସଞ୍ଜୁ ସାଇନିଙ୍କୁ ହତ୍ୟା କରିଥିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରୋହିତ ଏବଂ ସଞ୍ଜୁ ୨୦୧୮ରେ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ଚାରି ବର୍ଷର ଝିଅ ମଧ୍ୟ ଅଛି।

ଶିବାଜୀ ନଗର ସ୍ଥିତ କିଶନଗଡ଼ର ବାସିନ୍ଦା ଋତୁ ସାଇନି (୨୫)ଙ୍କୁ ପୋଲିସ ଗିରଫ କରିଥିବା ଅତିରିକ୍ତ ଏସପି (ଗ୍ରାମାଞ୍ଚଳ) ଦୀପକ କୁମାର କହିଛନ୍ତି। ତେବେ ସେ ଜଣେ ଛାଡପତ୍ରପ୍ରାପ୍ତ ମହିଳା ଥିଲେ ଯିଏ କି ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଥିବା ଜଣାପଡିଛି। ତାଙ୍କର ଏକ ଚାରି ବର୍ଷର ଝିଅ ମଧ୍ୟ ଅଛି। ଅଗଷ୍ଟ ୧୦ ତାରିଖ ଦିନ ରୋହିତ ଏବଂ ତାଙ୍କ ସ୍ତ୍ରୀ ସଞ୍ଜୁ ସେମାନଙ୍କ ଶ୍ୱଶୁର ଘରର ଗାଁ ରାଲାଭଟାରୁ ଫେରୁଥିଲେ। ଅପରାହ୍ନ ପ୍ରାୟ ୧:୩୦ ସମୟରେ ସିଲୋରା ଗାଁରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ସେମାନଙ୍କ ବାଇକ୍ ଅଟକାଇ ଡକାୟତି କରିବା ବାହାନାରେ ସଞ୍ଜୁଙ୍କ ବେକରେ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ। ତେବେ ଆହତ ସଞ୍ଜୁଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପଚରାଉଚରା ସମୟରେ ପ୍ରଥମେ ରୋହିତ ପୋଲିସକୁ କହିଥିଲେ ଯେ ଦୁଇ ଜଣ ଯୁବକ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲେ କିନ୍ତୁ ଡାକ୍ତରୀ ପରୀକ୍ଷାରେ ସେମାନଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ମିଳିନଥିଲା। ତେବେ ଘଟଣାସ୍ଥଳରୁ ସଞ୍ଜୁଙ୍କ ସୁନା ମଙ୍ଗଳସୂତ୍ର ଉଦ୍ଧାର ହେବା ପରେ ପୋଲିସର ସନ୍ଦେହ ବଢ଼ିଯାଇଥିଲା। ଯଦି ଦୁର୍ବୃତ୍ତମାନେ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲେ, ତେବେ ସେମାନେ ମଙ୍ଗଳସୂତ୍ର କାହିଁକି ଛାଡିବେ? ପରେ ରୋହିତକୁ କଡ଼ାକଡ଼ି ପଚରାଉଚରା କରାଯିବା ପରେ ସେ ନିଜର ଦୋଷ ମାନିଥିଲେ। ତାଙ୍କ ବନ୍ଧୁ ରବି ଏବଂ ଜଣେ ନାବାଳକଙ୍କ ସହିତ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ସେ ସ୍ୱୀକାର କରିଥିଲେ।

ପୋଲିସ ବର୍ତ୍ତମାନ୍ ରୋହିତ ଏବଂ ରବିଙ୍କୁ ଗିରଫ କରିଥିବା ବେଳେ ନାବାଳକକୁ ଅଟକ ରଖିଛି। ତେବେ ଗତ ଦୁଇ ବର୍ଷ ଧରି ରୋହିତ ଏବଂ ଋତୁ ଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା।ପରିବାର ସଦସ୍ୟଙ୍କ ବାରଣ ସତ୍ୱେ ମଧ୍ୟ ଉଭୟ ଲୁଚିଲୁଚି ସାକ୍ଷାତ କରୁଥିଲେ। ରୋହିତ ତାଙ୍କ ପତ୍ନୀଙ୍କୁ ଛାଡିବା ପରେ ହିଁ ଋତୁ ତାଙ୍କ ସହ ରହିବେ ବୋଲି ସେ ଚାପ ପକାଉଥିଲେ। ହତ୍ୟା ସମୟରେ ଋତୁ ସେଠାରେ ଉପସ୍ଥିତ ନଥିଲେ ମଧ୍ୟ ସେ ଯୋଜନାରେ ସାମିଲ ଥିବା ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ