ମୋରମ୍ ବୋଝେଇ ଟ୍ରାକଟର ଜବତ କଲା ବନ ବିଭାଗ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଛକ ନିକଟ ଡଲଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଚଢ଼ାଉ କରି ଏକ ମୋରମ ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ଆଜି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରେଞ୍ଜର ସଂଜିବ ରାଉତ ନିଜ ଟିମ୍ ସହ ପେଟ୍ରୋଲିଂ କରୁଥିବା ବେଳେ ଡଲଟାଙ୍ଗର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବରେ ଟ୍ରାକ୍ଟର ଯୋଗେ ମୋରମ ଚୋରା ଚାଳନା ହେଉଥିବା ଦେଖି ରେଞ୍ଜର ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ପୂର୍ବରୁ ବନବିଭାଗକୁ ଦେଖି ଅନ୍ୟ ଦୁଇଟି ଟ୍ରାକ୍ଟର ଏବଂ ଜେସିବି ଗାଡ଼ି ଫେରାର ମାରିଥିଲେ। ଏନେଇ ଆଜି ବନବିଭାଗ ପକ୍ଷରୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଥିବା ଜଣାପଡିଛି।