Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜା ସ୍ୱାଇଁଙ୍କୁ ଭିକେ ପାଣ୍ଡିଆନଙ୍କ ଧମକ “ଏଠି ପଲଟିକ୍ସ କରିବ ତ ଗୋଟିଏ କଲ୍‌ରେ ଦଳରୁ ଚୁଟକି ମାରି ବିଦା କରିଦେବି “

‘ଆଇ ଆମ୍ ଡାଉନ୍‌, ବଟ୍ ନଟ୍ ଆଉଟ୍ ଅଫ ଦ ପାର୍ଟି। ଏଠି ପଲଟିକ୍ସ କରିବ ତ ଗୋଟିଏ କଲ୍‌ରେ ଦଳରୁ ଚୁଟକି ମାରି ବିଦା କରିଦେବି।’ ଏଭଳି କିଛି ଢଙ୍ଗରେ ଦଳର ପ୍ରାୟ ୭୦-୮୦ ଜଣରୁ ଅଧିକ ଆଗଧାଡ଼ିର ନେତାମାନଙ୍କୁ ଧମକାଇଥିଲେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ। ତା’ ପୁଣି ରାଜଧାନୀ ଭୁବନେଶ୍ୱରର ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲ ପରିସରରେ ନିଜର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିବା ନେତାମାନଙ୍କୁ। କେବଳ ସେତିକି ନୁହେଁ, ହସ୍ପିଟାଲ ପରିସରରେ ପିସିସି ସଭାପତି ଭକ୍ତଚରଣ ଦାସ ଓ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପାଣ୍ଡିଆନ ପଛାଇ ନଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଏପରିକି ନବୀନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ହସ୍ପିଟାଲ ଯାଇଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ପାଣ୍ଡିଆନଙ୍କ ଇଙ୍ଗିତରେ ସାକ୍ଷାତ କରିବାର ସୁଯୋଗ ମିଳିନଥିବା ଜଣାପଡ଼ିଛି।

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ ମଧ୍ୟ ବାଧିବା ଭଳି କିଛି କଟୁ ମନ୍ତବ୍ୟ ପାଣ୍ଡିଆନ ଦେଇଥିବା ଜଣାପଡ଼ିଛି। ରାଜାଙ୍କ ଭୂମିକା ଏତିକି ଥିଲା ଯେ, ସେ ହସ୍ପିଟାଲକୁ ଯାଇ ସେଠାରେ ନବୀନଙ୍କ ସ୍ୱାସ୍ଥ୍ୟ ବିଷୟରେ ହସ୍ପିଟାଲ ତୁରନ୍ତ ବୁଲେଟିନ୍ ଜାରି କରୁ ବୋଲି ଦାବି କରିଥିଲେ। ଆଉ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ମଧ୍ୟ ‘କାହିଁକି ଦୁଇ ଦିନ ଧରି ଅସୁସ୍ଥ ଆମମାନଙ୍କ ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିନଥିଲ’ ବୋଲି ପ୍ରଶ୍ନ କରିଥିଲେ। ପତ୍ନୀଙ୍କୁ ଏଭଳି ଢଙ୍ଗରେ ପ୍ରଶ୍ନ କରିବାକୁ ପାଣ୍ଡିଆନ ସହଜରେ ନେଇନଥିଲେ ଓ ତଳକୁ ଆସି ଦଳୀୟ ନେତାମାନଙ୍କୁ ଖୋଲା ଧମକ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ