Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ରେ ଏନକାଉଣ୍ଟର:ପୋଲିସ ଗୁଳିରେ ହତ୍ୟା ଅଭିଯୁକ୍ତ ଆହତ

ସମ୍ବଲପୁର:ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟାକରି ଫେରାର ଅଭିଯୁକ୍ତ ପୋଲିସ ସହ ଗୁଳି ବିନିମୟରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୋଲିସ ଗିରଫ କରି ଚିକିତ୍ସା ପାଇଁ ଭିମସାରରେ ଭର୍ତ୍ତି କରିଛି। ତାଙ୍କ ବାମ ଗୋଡ଼ରେ ଗୁଳିବାଜିଛି। ସେ ହେଉଛନ୍ତି ମୋତିଝରଣର ମହମ୍ମଦ ସାମଦ। ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ମହମ୍ମଦ ସାମଦଙ୍କ ଭାଇ ମହମ୍ମଦ ୱାସିମ ଫେରାର ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣର ଅସଫାକ ଖାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିର୍ମମ ହତ୍ୟା କରି ଉଭୟ ଅଭିଯୁକ୍ତ ମହମ୍ମଦ ସମଦ ଓ ତାଙ୍କ ଭାଇ ମହମ୍ମଦ ୱାସିମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଧନୁପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅସଫାକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଫଳରେ ପୋଲିସ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷରେ ମୃତକଙ୍କ ଭାଇ ଜାବିଜ ଖାନଙ୍କ ଲିଖିତ ଅଭିଯୋଗ ଆଧାରରେ ଧନୁପାଲି ଥାନାରେ କେସ ନମ୍ବର ୨୮୦/୨୦୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୩(୧), ୩(୫)ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।
ଅଭିଯୁକ୍ତଙ୍କୁ ଧରିବା ପାଇଁ। ପୋଲିସ ତୁରନ୍ତ ଏକ ସ୍ବତନ୍ତ୍ର ଦଳ ଗଠନ କରି ଗୋଇନ୍ଦା ସୂଚନା ଆଧାରରେ ମଙ୍ଗଳବାର ପ୍ରାତଃରେ ଖଣ୍ଡୁଆଳ ଗ୍ରାମ ନିକଟରେ ଲୁଚିଥିବା ଅଭିଯୁକ୍ତ ସାମଦଙ୍କୁ ଠାବ କରିଥିଲା। ପୋଲିସ ପକ୍ଷରୁ ଆତ୍ମ ସମର୍ପଣ ପାଇଁ ଆହ୍ବାନ ଦିଆ ଯିବାରୁ ଅଭିଯୁକ୍ତ ସାମଦ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପରେ ପୋଲିସର ପାଲଟା ଗୁଳି ଚାଳନାରେ ସାମଦ ଗୁରୁତର ଆହତ ହୋଇଥିଲେ।
ଅଭିଯୁକ୍ତ ମହମ୍ମଦ ସମଦଙ୍କ ଆଣ୍ଠୁ ତଳେ ବାମ ଗୋଡ଼ରେ ଗୁଳି ବାଜିଥିଲା। ଗୁରୁତର ଆହତ ଅଭିଯୁକ୍ତ ସାମଦଙ୍କୁ ତୁରନ୍ତ ପୋଲିସ ଏସ୍କର୍ଟରେ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିକଟରୁ ଏକ ୭.୬ ଏମଏମ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଓ ସେ ଫେରାର ହେବାକୁ ବ୍ଯବହାର କରିଥିବା ବାଇକକୁ ପୋଲିସ ଜବତ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories