Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କ ଦେହାବସାନ ଗୋଟିଏ ଯୁଗର ଅନ୍ତ, ବିଭିନ୍ନ ମହଲରେ ଶୋକ

ସମ୍ବଲପୁର: ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନ ହେଲା ଦିନରୁ ପ୍ରଥମେ ଗୀତିକାର ଭାବରେ ଓ ପରେ ନାଟ୍ୟକାର ଭାବରେ ପଦ୍ମଶ୍ରୀ ପଶାୟତ ଉଭୟ ଗୀତ ଓ ନାଟକ ରଚନା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ।ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଯୁଗାନ୍ତକାରୀ ‘ଭୁଖା’ ନାଟକ ପୂର୍ବରୁ ଶ୍ରୀ ପଶାୟତ ‘ଉଖି’ ନାଟକ ଲୋକଙ୍କ ମଧ୍ୟରେ ବେଶ୍‌ ଚହଳ ପକାଇଥିଲା। ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ପ୍ରଖ୍ୟାତ ‘ରଙ୍ଗବତୀ’ ଗୀତର ବହୁ ପୂର୍ବରୁ ଶ୍ରୀ ପଶାୟତ ‘ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ…” ରଚନା କରି ଶ୍ରୋତାଙ୍କ ମହଲରେ ପରିଚିତ ହୋଇସାରିଥିଲେ। ପ୍ରାୟ ଅର୍ଦ୍ଧ ସହସ୍ରାଧିକ ଗୀତ ଲେଖି ସେ ଅର୍ଦ୍ଦ ଶତାବ୍ଦୀରୁ ଉର୍ଦ୍ଦ୍ବ କାଳ ଧରି ସମ୍ବଲପୁରୀ ଗୀତିକାର ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। “କିଏ ଜାନିଛ କହିଦିଅ ମତେ ଗୁଟେ ଅକ୍ଷରର୍‌ ମହତ?-ମାଁ”,”ବାଜୁଛେ ମାନ୍ଦଲ ଏ ବଉଲ କୁରେ ଫୁଲ”, ଭଳି କାଳଜୟୀ ଗୀତ ଓ “ମୁଇଁ ନାଇଁ ମରେଁ” ଭଳି ନାଟକ ଲେଖି ସେ ସର୍ବକାଳୀନ ଗୀତିକାର ରୂପେ ନିଜକୁ ପ୍ରତିଷ୍ଠିତ କରିଯାଇଛନ୍ତି।

ତାଙ୍କରି ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସ୍କୃତିକ ସଂଗଠକ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି।

ତାଙ୍କ ମୂତ୍ୟୁରେ ଅଂଚଳର ସଂଗୀତ ଜଗତର ଏକ ଧୃବତାରା ଖସିପଡ଼ିଛି ବୋଲି ସଂସ୍କୃତି ଗବେଷକ ଡ. ସପନ ମିଶ୍ର ଏକ ଶୋକ ବାର୍ତ୍ତାରେ କହିଛନ୍ତି।

ନାଟ୍ୟକାର, ଲେଖକ ଓ ପଦ୍ମଶ୍ରୀ ସମ୍ମାନିତ ବିନୋଦ କୁମାର ପଶାୟତଙ୍କୁ ୨୦୧୫ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିଲା।
ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ପ୍ରଭାବ ପଦ୍ମଶ୍ରୀ ବିନୋଦ ପଶାୟତଙ୍କର‌ ଉପରେ ଗଭୀର ଭାବରେ ପଡ଼ିଥିଲା । ସାରା ଜୀଵନ ସମ୍ବଲପୁରୀ ସାହିତ୍ୟର ସାଧନାରେ ଲାଗିଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି।

ପଦ୍ମଶ୍ରୀ ବିନୋଦ କୁମାର ପସାୟତ ସମ୍ବଲପୁରୀ ଭାଷାର ବିଖ୍ୟାତ ଲେଖକ ଓ ନାଟ୍ୟକାର ଥିଲେ। ସମ୍ବଲପୁରୀ ସଂସ୍କୃତି, ଲୋକ ସାହିତ୍ୟ ଓ ପରମ୍ପରାର ବାର୍ତ୍ତାବହ ଥିଲେ। ସେ ସର୍ବଦା ଆମପାଇଁ ପ୍ରେରଣାଦାୟୀ ଥିଲେ ଓ ରହିବେ। ଏ ଅଞ୍ଚଳ କେବେ ବି ତାଙ୍କୁ ଭୁଲି ପାରିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ତଥା ବିଶିଷ୍ଟ ସମାଜସେବୀ ଦୁର୍ଗା ପାଢ଼ୀ ତାଙ୍କ ଶୋକ ବାର୍ତ୍ତା ରେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଡ଼. ଜିତେନ୍ଦ୍ର ହରିପାଳ, ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀ, ଓଡିଶା ସାଂସ୍କୃତିକ ସମାଜ ର ସଭାପତି ଡ଼. ପରେଶ ଚନ୍ଦ୍ର ଦାନୀ, ନାଟ ନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ହୀରାଖଣ୍ଡ ସାମୁଖ୍ୟ ର ଆବାହକ ରାମାନୁଜ ପଣ୍ଡା, ଉତ୍ସର୍ଗ ର ଡ଼. ସତ୍ୟନାରାୟଣ ଠାକୁର, ବେଣୁଧର ଦାସ,, ହୀରାଲାଲ ବେହେରା ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକ ବ୍ୟକ୍ତ କରିଛନ୍ତି।ତାଙ୍କ ମୃତ୍ୟୁରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଆଜି ସନ୍ଧ୍ୟା ୪ ଟାରେ ସମ୍ବଲପୁର ରାଜଘାଟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଓପ ଅନରରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ