ବୀରମହାରାଜପୁର ରେ ବାଘ ଆତଙ୍କ : ମାଟିରେ ବାଘ ର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଂଚାୟତର କୁଡାପଡା ଗାଁରେ ଏବେ ବାଘ ଆତଙ୍କ । ଗୁରୁବାର ସକାଳୁ ଗାଁର ପୁରୁଣାପାଣି ବନ୍ଧ ନିକଟରେ ଏକ କଲରା ପତରିଆ ବାଘକୁ ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି ଗାଁ ଲୋକେ । ବାଘଟି ଗାଁ ମୁହାଁ ହେଉଥିବାବେଳେ ସ୍ଥାନୀୟ ଲୋକେ ପାଟି କରିବାରୁ ବାଘଟି ନିକଟରେ ଥିବା ବୁଦାମୁଳେ ଛପି ଦେଇଥିବା ଜଣାପଡିଛି । ସେହି ଅଂଚଳରେ ବିଭିନ୍ନ ସ୍ଥାନରେ ବାଘଟିର ପାଦ ଚିହ୍ନ ଦେଖିବାକୁ ମିଳିଛି । ପାଦ ଚିହ୍ନକୁ ଦେଖି ବନ ବିଭାଗର ଜଣେ ଅଧିକାରୀ ତାହା ଏକ କଲରା ପତରିଆ ବାଘ ର ପାଦ ଚିହ୍ନ ହୋଇଥିବା ସ୍ପଷ୍ଟ କରିଛନ୍ତି । ଅପର ପକ୍ଷରେ ବୀରମହାରାଜପୁର ସହକାରୀ ବଣ ସଂରକ୍ଷକ ଅବିନାଶ ବରିହା କହିଛନ୍ତି ଏହା ଏକ ହେଟା ବାଘ କିମ୍ବା ବିଲୁଆର ପାଦ ଚିହ୍ନ ହୋଇଥିବା କହିଛନ୍ତି । ଏନେଇ ବୀରମହାରାଜପୁର ବନ ବିଭାଗ କର୍ମାଚରୀଙ୍କୁ ସ୍ଥାନୀୟ ଲୋକେ ଜଣାଇଥିବା ଜଣାଯାଇଛି । ଲୋକଙ୍କ ଭୟରେ ବାଘଟି ପଦାକୁ ବାହାରୁନଥିବାବେଳେ ସ୍ଥାନୀୟ ଅଂଚଳରେ ଏବେ ଭୟର ବାତାରବରଣ ଖେଳିଯାଇଛି ।