ଝାରସୁଗୁଡା:ମରଣଯନ୍ତା ପାଲଟିଛି ଝାରସୁଗୁଡା କନକତୋରା ୪୯ ନଂ ଜାତୀୟ ରାଜପଥ । ସପ୍ତାହ ମଧ୍ୟରେ ଗଲାଣି ୩ ଜୀବନ । ବିଶେଷ କରି ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏଭଳି ସଡକ ଦୁର୍ଘଟଣା ଘଟୁଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଆଜି ପୁଣି ୪୯ ନଂ ଜାତୀୟ ରାଜପଥରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି । ହେଲେ ଦୁର୍ଘଟଣା ପରେ ଉକ୍ତ ଟ୍ରଲର ଗାଡିକୁ ନେଇ ଡ୍ରାଇଭର ଫେରାର ହୋଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।
ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୨ ଟା ସମୟରେ ଏନଏଚ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ମହାସିଂ ସିଂହ ଢ଼ାବା ସମ୍ମୁଖରେ ଥିବା ଟାୟାର ଦୋକାନରେ ଛିଡ଼ା ହୋଇଥିବା ଏକ ଟ୍ରଲର ( ଓଡି ୨୩ ଆର ୦୩୧୬) ଗାଡ଼ି ସହ ପଞ୍ଚଗାଁ ପଟୁ ଆସୁଥିବା ଏକ ସ୍କୁଟି ଗାଡ଼ି ପିଟି ହୋଇଥିଲା । ଫଳରେ ଜାମଗାଁ ପଞ୍ଚାୟତ ଲଛିପାଲି ଗାଁର ଜୟରାମ ରୋହିଦାସ (୨୩)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଲଖନପୁର ଏବଂ ପରେ ଝାରସୁଗୁଡ଼ା ଡାକ୍ତରଖାନାକୁ ନେଇଥିଲେ । ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆ ଯାଇଥିବା ପରିବାର ଲୋକଙ୍କ ଠାରୁ ଜଣା ପଡ଼ିଛି ।
ସେହିପରି ଅନ୍ୟ ଏକ ଦୁର୍ଘଟଣା ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ପଲସଦା ଛକ ନିକଟସ୍ଥ ବଂଜାରା କମ୍ପ୍ଲେକ୍ସ ସମ୍ମୁଖରେ ଘଟିଥିଲା । ମହାସିଂ ପଟୁ ପଞ୍ଚଗାଁ ଅଭିମୁଖେ ଯାଉଥିବା ଏକ ବାଇକ ଚାଳକ ରାଜପଥରେ ଚାଲି ଚାଲି ଯାଉଥିବା ଜଣେ ପଥଚାରୀ ଙ୍କୁ ଧକ୍କା ମାରିଥିଲେ । ଫଳରେ ବାଇକରେ ଥିବା ଦୁଇ ଜଣ ଯୁବକ ରାସ୍ତା ଉପରେ ପଡିଯାଇ ଗୁରୁତର ଆହତ ହୋଇଥିବା ବେଳେ ପଥଚାରୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ ।ସେମାନଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ମାତ୍ର ଘଟଣା ସମ୍ପର୍କରେ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା ।
ପ୍ରକାଶ ଥାଉକି ୪୯ନଂ ଜାତୀୟ ରାଜପଥରେ ଗତ କିଛି ଦିନ ହେବ ଯେଉଁଭଳି ଲଗାତାର ଭାବେ ଦୁର୍ଘଟଣା ଘଟୁଛି । ଅଞ୍ଚଳବାସୀ ରାସ୍ତାକୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ଜାତୀୟ ରାଜପଥରେ ଡ୍ରାଇଭର ମାନଙ୍କ ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ମାନ ଘଟୁଥିବା ସତ୍ତ୍ୱେ ପ୍ରଶାସନିକ ସ୍ତରରେ ଏଥିପ୍ରତି କୌଣସି ଗୁରୁତ୍ୱ ଦିଆ ଯାଉନଥିବା ଅଭିଯୋଗ ହେଉଛି । ତେଣୁ ଦୁର୍ଘଟଣା ରୋକିବାକୁ ଜାତୀୟ ରାଜପଥରେ ପ୍ୟାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବା ସହ ଅମାନିଆ ଗାଡ଼ି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।
୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ସପ୍ତାହକ ମଧ୍ୟରେ ଗଲାଣି ତିନି ଜୀବନ ଆଜି ପୁଣି ଦୁଇଟି ପୃଥକ ଦୁର୍ଘଟଣାରେ ୪ ଗୁରୁତର
