ଭୁବନେଶ୍ୱର: ପୂର୍ବରୁ ନିକ୍କୋ ପାର୍କ ନାମରେ ପରିଚିତ ଭୁବନେଶ୍ୱରର ପ୍ରସିଦ୍ଧ ବିଡିଏ ସିଟି ସେଣ୍ଟରର ପୁନଃବିକାଶ ପାଇଁ ସରକାର ଯୋଜନା କରିଥିବା ରିପୋର୍ଟରୁ ଜଣାପଡ଼ିଛି।ରବିବାର ସ୍ଥାନୀୟ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ଏହାକୁ ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।
ଏହି କାର୍ଯ୍ୟ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ଯେଉଁଥିପାଇଁ ୨୫୦ କୋଟିରୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ନେଇ ଯୋଜନା ଚାଲିଛି। ଏହି ଆଧୁନିକିକରଣରେ ଆଧୁନିକ ଆଲୋକ ବ୍ୟବସ୍ଥା, ହ୍ରଦ ଅଞ୍ଚଳର ସୌନ୍ଦର୍ଯ୍ୟକରଣ, ସମର୍ପିତ ସାଇକେଲିଂ ଟ୍ରାକ୍, ଏକ ଆୟୁର୍ବେଦିକ ପାର୍କ, ଫୁଡ୍ କୋର୍ଟ ଏବଂ ଫୁଟ୍ ଓଭରବ୍ରିଜ୍ କରାଯିବା ନେଇ ଆଲୋଚନା କରାଯାଉଛି। ପୂର୍ବରୁ ନିକ୍କୋ ପାର୍କ ଭୁବନେଶ୍ୱରକୁ ଅନେକ ଲୋକ ନିଜର ମନୋରଞ୍ଜନ ପାଇଁ ଆସୁଥିଲେ ଓ ଏହା ଏକ ଲୋକପ୍ରିୟ କେନ୍ଦ୍ର ଥିବା ନେଇ ମନ୍ତ୍ରୀ କହିଛନ୍ତି।
ତେବେ ରାଜ୍ୟ ସରକାର ଏହାକୁ ଅତ୍ୟାଧୁନିକ ସୁବିଧା ସହିତ ବିକଶିତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଭିତ୍ତିଭୂମି ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯିବ ଓ ପରେ ସୁସ୍ଥତା-ଭିତ୍ତିକ ସୁବିଧା ଏବଂ ମନୋରଞ୍ଜନ ସ୍ଥାନ ପ୍ରଦାନ କରାଯିବ।