ବିଲ ରାସ୍ତାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ


ଝାରସୁଗୁଡା ୧/୦୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବତଲଗା ଗାଁ ନିକଟସ୍ଥ ଏକ ବିଲରୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ବତଲଗା ଗାଁର ଲିଳିମା ମିର୍ଦ୍ଧା (୪୨ ବର୍ଷ) ବୋଲି ଜଣାପଡିଛି । ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବନହରପାଲି ଥାନା ଅଧିକାରୀ ରଞ୍ଜିତ ନାଏକ ଏବଂ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ଦଳେଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରେ ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଫଳରେ ଜିଲ୍ଲା ସାଇଣ୍ଟିଫିକ ଟିମ୍‌ ଓ ଡଗ ସ୍କ୍ୱାଡ୍‌ ଘଟଣା ସ୍ଥଳକୁ ଆସି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ଜଣା ପଡ଼ିଛି ।
ମୃତ ମହିଳାଙ୍କ ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଲିଲିମା ଗତ ୨୦୦୪ ମସିହାରେ ସମ୍ବଲପୁର ଜିଲ୍ଲା ଗୁରୁପାଲି ଗାଁରେ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ଓ ଏକ କନ୍ୟା ସନ୍ତାନ ଅଛନ୍ତି । ପ୍ରାୟ ୭/୮ ବର୍ଷ ହେବ ପାରିବାରିକ କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ଏବଂ ଲିଲିମା ବାପ ଘରକୁ ଚାଲି ଆସିଥିଲେ । ତାଙ୍କ ବାପା ମାଆ ନ ଥିବାରୁ ଦାଦା ଖୁଡ଼ିଙ୍କ ସହ ରହି ଆସୁଥିଲେ । ଏଥିସହ ଲିଲିମା ଓପିଜିସି ବନହରପାଲି ଠାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ହେଲେ ରବିବାର ଡ୍ୟୁଟିରୁ ଘରକୁ ଫେରି ଗାଧୁଆ ପାଧୁଆ ଆଦି ନିତ୍ୟକର୍ମ ସାରି ଚା’ ପିଇଥିଲେ । ରାତ୍ର ପ୍ରାୟ ସାଢ଼େ ୭ ଟାରୁ ୮ଟା ମଧ୍ୟରେ ଏକ ପ୍ଲାଷ୍ଟିକ ବାଲଟିରେ ପାଣି ଧରି ଶୌଚ ପାଇଁ ଯାଇଥିଲେ । ହେଲେ ସେ ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲେ । ଏହା ଦେଖି ପରିବାର ଲୋକେ ବିଭିନ୍ନ ସ୍ଥାନରେ ବହୁତ ଖୋଜାଖୋଜି କଲା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ସୋମବାର ସକାଳୁ ତାଙ୍କ ଦାଦା ପୁଅ କିଶୋର ବିଲ ପଟକୁ ଯିବା ସମୟରେ ରାସ୍ତା ମଝିରେ ଲିଲିମାଙ୍କ ମୃତଦେହ ପଡ଼ିଛି । ସେ ପିନ୍ଧିଥିବା ନାଇଟି ଡ୍ରେସ ଟି ତଳେ ପଡ଼ିଥିଲା ଏବଂ ସେ ସଙ୍ଗରେ ନେଇଥିବା ପାଣି ବାଲଟି ଅଳ୍ପ ଦୂରରେ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ତାଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ସନ୍ଦେହ କରି ସେ ଘରକୁ ଫେରି ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ କୁମ୍ଭାରବନ୍ଧ ଫାଣ୍ଡିକୁ ଯାଇ ସେମାନେ ଲିଖିତ ଅଭିଯୋଗ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି ।