ଜୋର ଧରିଲା ଲଖନପୁର ବ୍ଲକ ବିଭାଜନ ପ୍ରସଙ୍ଗ ଭିକମପାଲିରେ ଆଞ୍ଚଳିକ ବୈଠକ ଛୋଟ ଛୋଟ ବ୍ଲକରେ ବିଭାଜନ ପାଇଁ ଉଠିଲା ଦାବି

ଝାରସୁଗୁଡ଼ା ୨୧/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସର୍ବ ବୃହତ ଲଖନପୁର ବ୍ଲକ ୩୩ ଗୋଟି ପଞ୍ଚାୟତକୁ ନେଇ ଗଠିତ । ଯାହା ଛତିଶଗଡ଼ ସୀମାକୁ ଲାଗି ରହିଥିବା ୧୯ ଖଣ୍ଡ ମୌଜା କଣ୍ଡେଇକେଲା ଠାରୁ ଆରମ୍ଭ କରି ତିଲିଆ ଏବଂ ଅନ୍ୟ ପଟେ ବେଳପାହାଡ଼ ମ୍ୟୁନିସିପାଳଟି ସଂଲଗ୍ନ ପିପିଲିମାଲ ପଞ୍ଚାୟତ ପର୍ଯ୍ୟନ୍ତ ବିସ୍ତାରିତ । ଯାହା ଦ୍ୱାରା ଲଖନପୁର ଠାରେ ଅବସ୍ଥିତ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗୋଟିଏ ଦିନରେ ଆବଶ୍ୟକୀୟ କୌଣସି କାର୍ଯ୍ୟ କରିବା ସୀମାନ୍ତ ବାସୀଙ୍କ ପାଇଁ ବହୁତ କାଠିକର ପାଠ ହୋଇଛି । ତେଣୁ ବୃହତ ଲଖନପୁର ବ୍ଲକ କୁ ତିନୋଟି ବ୍ଲକରେ ବିଭାଜନ କରିବା ସହିତ ଲଖନପୁର ତହସିଲକୁ ଏକ ସବଡିଭିଜନ ର ମାନ୍ୟତା ପାଇଁ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲଖନପୁର ବ୍ଲକ ନାଗରିକ ପରିଷଦ ବିଗତ ଦିନର ସରକାର ଙ୍କ ନିକଟରେ ଦାବି କରି ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।
କିନ୍ତୁ ବର୍ତ୍ତମାନ ରାଜ୍ୟର ମୋହନ ସରକାରଙ୍କ ପକ୍ଷରୁ ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ସବୁଜ ସଙ୍କେତ ମିଳିବା ପରେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସାକାର ହେବାକୁ ଯାଉଛି । ଯାହାକୁ ନେଇ ବ୍ଲକ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
ଏହି ପ୍ରସଙ୍ଗକୁ ନେଇ ଆଜି ଅପରାହ୍ନ ୪ଟା ସମୟରେ ଭିକମପାଲି ମା ପଦ୍ମାସିନୀଙ୍କ ମନ୍ଦିର ପରିସରରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ଙ୍କ ଅଧ୍ୟକ୍ଷତାରେ ଏକ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ, ନିର୍ବାଚିତ ଜନ ପ୍ରତିନିଧି ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ଉପରେ ଆଲୋଚନା ହେବା ସହ ଯଦି ଲଖନପୁର ବ୍ଲକକୁ କୋଲାବିରା, କିର୍ମିରା ବ୍ଲକ ଭଳି ଛୋଟ ଛୋଟ ବ୍ଲକ ଓ ଜନ ବହୁଳ ବଡ଼ ବଡ଼ ପଞ୍ଚାୟତକୁ ମଧ୍ୟ ବିଭାଜନ କରାଯାଏ ତାହେଲେ ସ୍ଥାନୀୟ ଜନ ସାଧାରଣ କେନ୍ଦ୍ର ଓ ରାଜ୍ୟ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଠିକ ସମୟରେ ପାଇ ଉପକୃତ ହୋଇ ପାରନ୍ତେ ବୋଲି ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଭିକମପାଲି,ଅତାବିରା, ପଞ୍ଚଗାଁ, ମଚିଦା, ପଲସଦା, କତରବଗା ,ଜାମଗାଁ ଏବଂ ସମରବଗା ପର୍ଯ୍ୟନ୍ତ ମୋଟ ୮ ଟି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରିବା ସହ ଜନସଂଖ୍ୟା ଅନୁପାତରେ ବଡ଼ ବଡ଼ ପଞ୍ଚାୟତକୁ ମଧ୍ୟ ଭାଗ ଭାଗ କରି ନୂତନ ପଞ୍ଚାୟତ ଗଠନ ନିମନ୍ତେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେଣୁ ଆସନ୍ତା କାଲି ଅଞ୍ଚଳବାସୀ ଙ୍କ ତରଫରୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ,ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୌଲସ୍ତ୍ୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।