ଆଇଆଇଏମ୍ ମୁମ୍ବାଇରୁ ଏମବିଏ ଡ଼ିଗ୍ରୀ ପାଇଲେ ଗାଁ ପୁଅ ସିଦ୍ଧାର୍ଥ

ଝାରସୁଗୁଡ଼ା: ଅନବରତ କଠୋର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜୀବନର ଯେ କୌଣସି କଠିନ ଲକ୍ଷକୁ ହାସଲ କରିବା ସମ୍ଭବ। କେବଳ ସହର ନୁହେଁ ମଫସଲ ଗାଁ ପୁଅ ମଧ୍ୟ ଶିକ୍ଷା କ୍ଷେତ୍ରରେ ସଫଳତାର ଶୀର୍ଷକୁ ପହଞ୍ଚିପାରେ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ଗାଁର ସିଦ୍ଧାର୍ଥ ପାଣିଗ୍ରାହୀ । ସେପ୍ଟେମ୍ବର ୨୦ ତାରିଖ ଶନିବାର ଦେଶର ମର୍ଯ୍ୟାଦା ଜନକ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଏମ୍ ମୁମ୍ୱାଇରେ ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୂଖ୍ୟ ଅତିଥି ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ଡ଼:ପ୍ରମୋଦ ମିଶ୍ର ଏବଂ ସ୍ବତନ୍ତ୍ର ଅତିଥି ଆଇଏମ୍ଏଫର ନିର୍ବାହୀ ନିର୍ଦ୍ଦେଶକ, ଆଇଆଇଟି ମୁମ୍ୱାଇର ନିର୍ଦ୍ଦେଶକ, ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ଏବଂ ଏନଏସଇ ଅଧ୍ୟକ୍ଷ ପ୍ରମୁଖଙ୍କ ଉପସ୍ଥିତିରେ ଆଇଆଇଏମ୍ ମୁମ୍ୱାଇ ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ୨୦୨୩-୨୫ ବ୍ୟାଚର ସିଦ୍ଧାର୍ଥଙ୍କୁ ଅପରେସନ ଓ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟରେ ଡିଷ୍ଟିଙ୍କସନ୍ ସହ ଏମବିଏ ଡ଼ିଗ୍ରୀ ପ୍ରଦାନ କରିଛନ୍ତି। ଏହି ବିରଳ ସଫଳତା ହାସଲ କରି ସିଦ୍ଧାର୍ଥ ଲଖନପୁର ବ୍ଲକ ସହିତ ସମଗ୍ର ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବ ଆଣିବାରେ ସମର୍ଥ ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ ଲଖନପୁର ଗାଁର ବ୍ୟବସାୟୀ ତଥା ସମାଜସେବୀ ରାଧାକାନ୍ତ ପାଣିଗ୍ରାହୀ ଓ ସରିତା ପାଣିଗ୍ରାହୀଙ୍କ ସୁଯୋଗ୍ୟ ପୁତ୍ର ସିଦ୍ଧାର୍ଥ ଛୋଟ ସମୟରୁ ସେ ଜଣେ ମେଧାବୀ ଛାତ୍ର । ବର୍ତ୍ତମାନ ଏକ ବହୁ ରାଷ୍ଟ୍ରୀୟ କଂସଲ୍ଟିଂ କମ୍ପାନୀର ମୁମ୍ବାଇ ମୂଖ୍ୟ କାର୍ଯ୍ୟାଳୟରେ ଏସୋସିଏଟ୍ କଂସଲ୍ଟାଣ୍ଟ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ ଦଶମ ଶ୍ରେଣୀ ୨୦୧୪ ସିବିଏସଇ ବୋର୍ଡ଼ ପରୀକ୍ଷାରେ ସିଜିପିଏ-୧୦ ସ୍କୋର୍ ରଖି ସମ୍ବଲପୁର ମଦନାବତୀ ପବ୍ଲିକ୍ ସ୍କୁଲରେ ଟପର୍ ହୋଇଥିଲେ । ଏହା ବ୍ୟତୀତ ଭୁବନେଶ୍ୱର ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ୯୬% ମାର୍କ ସହ ୨୦୧୬ରେ ସିବିଏସଇ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହି ବର୍ଷ ଜେଇ ମେନ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଏନଆଇଟି ଅଗରତାଲାରେ ମେକାନିକାଲ ଇଞ୍ଜିନିୟରିଂରେ ଚାରି ବର୍ଷ ପଢ଼ି ୨୦୨୦ ରେ ୯.୨ ସିଜିପିଏ ସହ ଡିଷ୍ଟିଙ୍କସନ୍ ହାସଲ କରି ଉତ୍ତୀର୍ଣ୍ଣ ହୋଇଥିଲେ । କେମ୍ପସ ଚୟନ ପରୀକ୍ଷାରେ ମଧ୍ୟ ସେ ସଫଳ ହୋଇ ଏଲଏଣ୍ଡଟିରେ ବରିଷ୍ଠ ଯନ୍ତ୍ରୀ ଭାବେ ଦେଢ଼ ବର୍ଷ କାର୍ଯ୍ୟ କଲା ପରେ ଉଚ୍ଚତର ଶିକ୍ଷା ପାଇଁ ଚାକିରୀ ଛାଡ଼ି ଦିଲ୍ଲୀରେ ବର୍ଷେ କାଳ କଠୋର ପରିଶ୍ରମ କରି ଅତିଶୟ କଠିନ ଚୟନ ପଦ୍ଧତିରେ ସଫଳ ହୋଇ ଜୁନ୍ ୨୦୨୩ ରେ ବିଶ୍ଵ ସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଆଇଆମ୍ ମୁମ୍ବାଇରେ ଏମବିଏ ପଢ଼ିବାକୁ ସିଦ୍ଧାର୍ଥ ଯୋଗ୍ୟ ବିବେଚିତ ହୋଇଥିଲେ । ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।