ସୋନମ୍ ଵାଙ୍ଗଚୁକ୍ ଗିରଫ: ଅଜଣା ସ୍ଥାନକୁ ସ୍ଥାନାନ୍ତର

ଲଦାଖ ହିଂସା ମାମଲାରେ ସାମାଜିକ କର୍ମୀ ସୋନମ୍ ଵାଙ୍ଗଚୁକ୍ଙ୍କୁ ଆଜି ପୁଲିସ ଗିରଫ କରିଛି। ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ତାଙ୍କୁ ଅପରାହ୍ଣ ପ୍ରାୟ ୨ଟା୩୦ରେ ଗିରଫ କରି ଏକ ଅଜଣା ସ୍ଥାନରେ ରଖାଯାଇଛି। ସେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଗିରଫଦାରୀ ହୋଇଥିଲା। ଲଦାଖ ଡିଜିପି ଏସ୍.ଡି. ସିଂହ ଜାମୱାଲଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଗତକାଲି ୱାଙ୍ଗଚୁକ୍ଙ୍କ ଏନ୍ଜିଓ ‘ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ କଲ୍ଚରାଲ୍ ମୁଭ୍ମେଣ୍ଟ ଅଫ୍ ଲଦାଖ’ (ଏସ୍ଇସିଏମ୍ଓଏଲ୍)ର ଲାଇସେନ୍ସ ବିଦେଶୀ ଅନୁଦାନ ନିୟମ (ଏଫ୍ସିଆର୍ଏ) ଉଲ୍ଲଂଘନ ଅଭିଯୋଗରେ ରଦ୍ଦ କରାଯାଇଥିଲା। ଆଜି ୱାଙ୍ଗଚୁକ୍ଙ୍କ ଗିରଫ ପରେ ସମଗ୍ର ଲଦାଖରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ରଖାଯାଇଛି। ଲେହରେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଛି।