ବଢ଼ିଲା ଦିବ୍ୟଶଙ୍କରଙ୍କ ଅଡ଼ୁଆ: ସିବିଆଇ ତଦନ୍ତ ଦାବି କଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାର ଦୁଇ ହାଇପ୍ରୋଫାଇଲ୍ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିବା ବିଜେଡି ପାଇଁ ଶକ୍ତଧକ୍କା ହୋଇଛି । ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱର୍ଗତ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ ଓ ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଉପସ୍ଥିତ ରହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବାରୁ ବିଜେଡି ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡ଼ୁଆ ବଢ଼ିଛି ।
ତେବେ ବିରୋଧୀ ଦଳରେ ଥିବାବେଳେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଓ ମମିତା ମେହେର-ଗୋବିନ୍ଦ ସାହୁ ହତ୍ୟା ଘଟଣାକୁ ନେଇ ତମ୍ବିତୋଫାନ କରୁଥିବା ବିଜେପି ଏବେ କ୍ଷମତାରେ ଆସିବାର ୧୬ମାସ ପରେ ମଧ୍ୟ ଏହି ଦୁଇ ହତ୍ୟା ମାମଲାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ମାମଲାକୁ ପୁଣିଥରେ ରିଓପନ୍ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ମଧ୍ୟ ପ୍ରୟାସ କରିନଥିବା ଜଣାପଡ଼ିଛି ।
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱଗର୍ତ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ଉଭୟ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । କଳାହାଣ୍ଡି ଜିଲ୍ଲାର ଆଗଧାଡ଼ିର ବିଜେପି ନେତାମାନଙ୍କର ଏକ ପ୍ରତିନିଧି ଦଳର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ ଆଲୋଚନା କରିଥିଲେ । ଏହାସହିତ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ କୁଚକ୍ରୀ ଗୋଷ୍ଠୀଙ୍କ ତରଫରୁ ପରିବାର ପ୍ରତି ବିପଦ ରହିଥିବାର ଆଶଙ୍କା କରି ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋବିନ୍ଦଙ୍କ ଝିଅ ଲିପିକା ସାହୁ କହିଛନ୍ତି ଯେ, “ଯିଏ ମମିତା ମେହେରଙ୍କୁ ହତ୍ୟା କରିଛି, ସିଏ ହିଁ ମୋ’ ବାପାଙ୍କୁ ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ମୁଁ ଓ ମୋ ପରିବାର ଏବେ ଭୟଭୀତ ଅଛୁ । ଆମ ସହ କେତେବେଳେ କିଛି ବି ହୋଇପାରେ । ସେମାନେ ଆମ ସମ୍ପତ୍ତିି ସବୁ କବଜା କରିଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛୁ । କେସ୍ ରିଓପନ୍ କରିବା ଓ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆମର ମଧ୍ୟ ମୁଖ୍ୟମନ୍ତ୍ରୀ ଓ ସରକାର ଉପରେ ଆମର ପୂରା ବିଶ୍ୱାସ ରହିଛି ।”
ସେହିପରି ଏହି ସାକ୍ଷାତ ସମୟରେ ଉପସ୍ଥିତ ଥିବା ପୂର୍ବତନ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଘଟଣାର ପଛର ସତ୍ୟ ପଦାକୁ ଆସିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ଓ ସିବିଆଇ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।