ବାପାଙ୍କ ଜିଦ୍ ରଖିଲେ, ମଫସଲି ଝିଅ ଅନୁପମା , ଓପିଏସସି ପରୀକ୍ଷାରେ ୨୮୦ ରେଙ୍କରେ ଉତ୍ତୀର୍ଣ୍ଣ

ଝାରସୁଗୁଡା:ବାପା ସବୁ ସମୟରେ କହୁଥିଲେ ଯେ ମୋ ଝିଅ ଓପିଏସସି ପରୀକ୍ଷାରେ ନିଶ୍ଚିତ ଭାବେ କୃତକାର୍ଯ୍ୟ ହେବ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ । ହେଲେ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବାପାଙ୍କ ଏହି ଦୃଢୋକ୍ତିକୁ ବାସ୍ତବ ରୂପରେ ପରିଣତ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ମଫସଲି ଝିଅ ଅନୁପମା ଗର୍ଡିଆ ।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏକ ଅଣ ରାଜସ୍ୱ ଗ୍ରାମ ଦୁଆନମୁଣ୍ଡା ଗ୍ରାମର ଶୁକଦେଵ ଗର୍ଡିଆ ଓ ମା ରୁକ୍ମଣୀ ଗର୍ଡିଆଙ୍କ ମଝିଆଁ ଝିଅ ଅନୁପମା ଗର୍ଡିଆ ୧୯୯୬ ମଇ ୪ ତାରିଖରେ ଜନ୍ମ ଗ୍ରହଣ କରନ୍ତି । ହେଲେ ସେ ମା ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିକଟସ୍ଥ କୁଡ଼ାବଗା ପ୍ରାଥମିକ ବିଦ୍ୟାଳୟରୁ ବିଦ୍ୟାରମ୍ଭ କରି କଦମଡିହି ମହାତ୍ମା ଗାନ୍ଧୀ ହାଇସ୍କୁଲ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହା ପରେ ଉଚ୍ଚ ଶିକ୍ଷା ପାଇଁ କୁଣ୍ଡୁକେଲା ସ୍ଥିତ ଭେଷଜ ରମ୍ଭାବତୀ କଲେଜରେ ଅଧ୍ୟୟନ କରି ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ସେ ଭଲ ନମ୍ବର ରଖି କଲେଜ ତଥା ଅଞ୍ଚଳର ପାଇଁ ଗୌରବ ଆଣିଥିଲେ । ଏହା ପରେ ସୁନ୍ଦରଗଡ ସରକାରୀ ମହା ବିଦ୍ୟାଳୟ ଏବଂ ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ମଧ୍ୟ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଏହା ପରେ ଦିଲ୍ଲୀ ସ୍ଥିତ ବାଜିରାମ ଏବଂ ରବି ଇନଷ୍ଟିଚ୍ୟୁଟରେ କଠିନ ପରିଶ୍ରମ କରି ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନୁପମା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ମା ବାପା, ଭାଇ, ଭଉଣୀଙ୍କ ସହ ପରିବାର ବର୍ଗ ଏବଂ ହିତାକାଂକ୍ଷୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ।
ଏହି ଖୁସି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ଅବସରରେ ଲଖନପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ପଧାନ, ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ,ସମାଜସେବୀ ଭାସ୍କର ଗର୍ଡିଆ ପ୍ରମୁଖ ଦୁଆନମୁଣ୍ଡା ସ୍ଥିତ ତାଙ୍କ ବାସଭବନକୁ ଯାଇ ଅନୁପମାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ମହଲରୁ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟୁଛି ।