ରାଇସ ମିଲ ପ୍ରଦୂଷଣରେ ଠାକୁରପଡା ଶହ ଶହ ଏକର ଚାଷ ଜମି ନଷ୍ଟ, ଦୀର୍ଘ ତିନିବର୍ଷ ହେଲା ପଡ଼ିଆ ପଡ଼ିଛି ଚାଷ ଜମି, ଅଭିଯୋଗ ପରେ ମଧ୍ୟ ନୀରଦ୍ରଷ୍ଟା ସାଜିଛି ପ୍ରଶାସନ ,

ଝାରସୁଗୁଡ଼ା ୧୦/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅନ୍ତର୍ଗତ ଠାକୁରପଡା ଗ୍ରାମ ନିକଟରେ ଥିବା *ରାଜେଶ୍ୱରୀ ରାଇସ ମିଲ* ଦ୍ୱାରା ବ୍ୟାପକ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ରାଇସ ମିଲ୍ରୁ ନିର୍ଗତ ବିଷାକ୍ତ କେମିକାଲ ମିଶ୍ରିତ ପାଣି ଦ୍ୱାରା ଶହ ଶହ ଏକର ଚାଷ ଜମି ପ୍ରଭାବିତ ହୋଇ ନଷ୍ଟ ହେବାରେ ଲାଗିଛି । ଏହା ଦ୍ୱାରା ଦୀର୍ଘ ତିନିବର୍ଷ ଧରି ସ୍ଥାନୀୟ ଚାଷୀମାନେ ନିଜ ଜମିରେ କୌଣସି ଚାଷକାର୍ଯ୍ୟ କରିପାରୁ ନାହାନ୍ତି । ଫଳରେ ସେମାନେ ଆର୍ଥିକ କ୍ଷତି ସହିବା ସହ ଆବମାହାନ କାଳରୁ ନିର୍ଭର କରି ଚଳି ଆସୁଥିବା ଉକ୍ତ ମୂଲ୍ୟବାନ ଜମିକୁ ହରାଇବା ଭୟ ସେମାନଙ୍କ ମନକୁ ବ୍ୟଥିତ କରୁଛି । ଏହା ବ୍ୟତୀତ ବିଭିନ୍ନ ଠାରୁ ଧାର କରଜ ଆଣି ବହୁ କଷ୍ଟରେ କରିଥିବା ଧାନ ଫସଲ ନଷ୍ଟ ହୋଇ ଯାଉଛି । ଯାହା ସେମାନଙ୍କ ପାଇଁ ଜୀବନର ନିତି ଦିନିଆ ସମସ୍ୟା ରେ ପରିଣତ ହୋଇ ଯାଇଛି। ଏ ସମ୍ପର୍କରେ ଅନେକ ଥର ପ୍ରଶାସନକୁ ଜଣାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରୁଛନ୍ତି ।
ଚାଷୀଙ୍କ ଅଭିଯୋଗ ଅନୁସାରେ ରାଇସ ମିଲରୁ ନିର୍ଗତ ଦୂଷିତ ପାଣି ଏକ ଲମ୍ବା ପାଇପ ଯୋଗେ ଆସି ସିଧାସଳଖ ଚାଷ ଜମିରେ ପଡୁଛି। ସେହି ପ୍ରଦୁଷିତ ପାଣି ଯୋଗୁଁ ସମଗ୍ର ଅଞ୍ଚଳର ଶହ ଶହ ଚାଷ ଜମି ନଷ୍ଟ ହେଉଛି । ତେଣୁ ଏହାର ସ୍ଥାୟୀ ସମାଧାନ କରିବା ସହ ଉକ୍ତ ରାଇସ ମିଲ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ଠାରେ ଅଶ୍ୱିନୀ ବିଶ୍ଵାଳ, ଫଡ଼ିନ୍ଦ୍ର ଅଢ଼ା, ଚିଣ୍ଟୁ ନାଏକ ପ୍ରମୁଖ ଚାଷୀଙ୍କ ସମେତ ଠାକୁରପଡ଼ା ଗାଁର ସମସ୍ତ ଗ୍ରାମବାସୀ ଦାବି କରୁଛନ୍ତି ।
ଏ ସମ୍ପର୍କରେ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧିକାରୀ ହିରଣ୍ୟ ନାୟକଙ୍କୁ ପଚାରିବାରୁ ରାଇସ ମିଲ ନିୟମ ଅନୁସାରେ କାର୍ଯ୍ୟ କରୁନାହିଁ। ତେଣୁ ତଦନ୍ତ ପରେ ତା ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।
ଯଦି,ରାଇସ ମିଲରୁ ନିର୍ଗତ ବିଷାକ୍ତ ପାଣିକୁ ବିଶୋଧନ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେବେ ସେହି ମିଲ୍ କିପରି “କନସେଣ୍ଟ ଟୁ ଅପରେଟ” ଅନୁମତି ପାଇଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଠାକୁରପଡା ଗ୍ରାମ ପାଖରେ ରାଇସମିଲ ରୁ ନିର୍ଗତ ମଇଳା ପାଣି ଯୋଗୁଁ ପ୍ରଭାବିତ ଚାଷ ଜମି।